ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ପୌର ପରିଷଦ ୱାର୍ଡ ନଂ.୯ ଅନ୍ତର୍ଗତ ବେହେରାପାଲିଠାରେ ଥିବା ପୋଖାରୀରେ ପଡାବାସୀ, କ୍ରିୟାନୁଷ୍ଠାନ କମିଟି ଓ କଂଗ୍ରେସ ଦଳ ପକ୍ଷରୁ ଜଳ ସତ୍ୟାଗ୍ରହ ଆନ୍ଦୋଳନ କରାଯାଇଥିବା ଦେଖିବାକୁ ମିଳିଛି । ବେହେରାପାଲି ବନ୍ଧର ପୁନଃଉଦ୍ଧାର ଦାବୀରେ ଏହି ଜଳ ସତ୍ୟାଗ୍ରହ ଆନ୍ଦୋଳନ କରାଯାଇଥିବା ବେଳେ ପଡାବାସୀ, କ୍ରିୟାନୁଷ୍ଠାନ କମିଟି ଓ କଂଗ୍ରେସ ଦଳର ସଦସ୍ୟମାନେ ପାଣି ଭିତରେ ସକାଳ ୮ଟାରୁ ବିଭିନ୍ନ ନାରା ଦେବା ସହ ନିଜର ଦାବୀ ଉପସ୍ଥାପନ କରିଛନ୍ତି । ବଲାଙ୍ଗିର ବେହେରାପାଲି ବନ୍ଧର ପାଣି ଦୂଷିତ ହୋଇ ପଡ଼ିଥିବା ବେଳେ ବନ୍ଧ ଭିତର ପଙ୍କ, ଅଳିଆ ଆବର୍ଜନା ଓ ଅନାବନା ଘାସରେ ପରିପୂର୍ଣ୍ଣ ହୋଇ ପଡ଼ିରହିଛି । ଦୀର୍ଘ ୧୦ ବର୍ଷ ହେଲା ବେହେରାପାଲି ବନ୍ଧର ଅବସ୍ଥା ଏଭଳି ଭାବେ ପଡ଼ି ରହିଥିବା ବେଳେ ପ୍ରଶାସନ ଅଂଚଳବାସୀଙ୍କ ପ୍ରତି ଅବହେଳା କରି ଆସୁଥିବା ଅଭଯୋଗ କରାଯାଇଛି । ଏପରିକି ପ୍ରାୟ ଏକ ମାସ ତଳେ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରି ବେହେରାପାଲିବାସୀ ଦାବୀପତ୍ର ପ୍ରଦାନ କରିଥିବା ବେଳେ ପ୍ରଶାସନ ପକ୍ଷରୁ ୭ ଦିନ ଭିତରେ କାମ କରିବାକୁ ପ୍ରତିଶୃତି ଦିଆଯାଇଥିଲେ ମଧ୍ୟ ମୌସୁମୀ ଆସିବା ପୂର୍ବରୁ କାମ ହୋଇ ପାରି ନଥିବା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କୁହାଯାଇଛି । ତେବେ ଏହାର ତୁରନ୍ତ ପୁନଃଉଦ୍ଧାର ପାଇଁ ପ୍ରଶାସନ ପାଖରେ ଦାବୀ କରିଛନ୍ତି ଆନ୍ଦୋଳନକାରୀମାନେ । ଆଗାମୀ ଦିନରେ ଦାବୀ ପୂରଣ ନହେଲେ ଆହୁରି ଜୋର୍ଦାର୍ ଆନ୍ଦୋଳନ ହେବ ବୋଲି ମଧ୍ୟ ପ୍ରଶାସନକୁ ଚେତାବନୀ ଦିଆଯାଇଛି ।