ଭିଜିଲାନ୍ସ ଜାଲରେ ଗୋପାଳପୁର କଲେଜ ଅଧ୍ୟକ୍ଷ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଜଣେ ଛାତ୍ରୀଙ୍କ ଯୁକ୍ତ ୨ ପ୍ରଥମ ବର୍ଷରେ ନାମ ଲେଖା ଏବଂ ପରୀକ୍ଷା ସମୟରେ ସହଯୋଗ କରିବା ପାଇଁ ୧୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ କଲେଜ ଅଧ୍ୟକ୍ଷଙ୍କୁ ମାଡି ବସିଛି କଳାହାଣ୍ଡି ଭିଜିଲାନ୍ସ । ସୂଚନାନୁଯାୟୀ, କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ଏସ୍‌ଏସ୍‌ଡି ଯୁକ୍ତ ୨ ଅଧ୍ୟକ୍ଷ ନବୀନ କୁମାର ସାହୁ ଜଣେ ଛାତ୍ରୀଙ୍କ ନାମ ଲେଖା ଏବଂ ପରୀକ୍ଷା ସମୟରେ ସହଯୋଗ କରିବାପାଇଁ ସୁମିତ୍ରା ନାଏକ ନାମକ ଜଣେ ଅଭିଭାବିକାଙ୍କୁ ଲାଞ୍ଚ ଦାବୀ କରିଥିଲେ । ଏ ସମ୍ପର୍କରେ ଅଭିଯୋଗକାରିଣୀ କଳାହାଣ୍ଡି ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଯୋଜନା ମୁତାବକ ଶୁକ୍ରବାର ଗୋପାଳପୁର ଯୁକ୍ତ ୨ କଲେଜ କାର୍ଯ୍ୟାଳୟରେ ଅଧ୍ୟକ୍ଷ ନବୀନ କୁମାର ସାହୁ ୧୦, ୦୦୦ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଅଧିକାରୀମାନେ ମାଡି ବସିଥିଲେ । ଅଧ୍ୟକ୍ଷ ଶ୍ରୀ ସାହୁଙ୍କ ଠାରୁ ଉକ୍ତ ଲାଞ୍ଚ ଟଙ୍କା ମଧ୍ୟ ଉଦ୍ଧାର କରି ଜବତ କରିଥିବା ସୂଚନା ମିଳିଛି । କଳାହାଣ୍ଡି ଭିଜିଲାନ୍ସ ଡ଼ିଏସ୍‌ପି ପ୍ରଦୀପ କୁମାର ଆଇଣ୍ଡଙ୍କ ନିର୍ଦ୍ଦେଶରେ ଇନ୍ସପେକ୍ଟର ପ୍ରମିଳା ସୁନା, ଏଏସ୍‌ଆଇ ବେଣୁଧର ବେହେରା, ଷ୍ଟେନୋ ସନ୍ତୋଷ ମହାନ୍ତି ପ୍ରମୁଖ ଏହି ଚଢ଼ାଉ କରିଥିଲେ । ଅଧ୍ୟକ୍ଷ ଶ୍ରୀ ସାହୁଙ୍କ ମେଦିନୀପୁର ସ୍ଥିତ ବାସ ଭବନରେ ମଧ୍ୟ ଚଢ଼ାଉ ଜାରି ରହିଥିବା ଡିଏସ୍‌ପି ଶ୍ରୀ ଆଇଣ୍ଡ ସୂଚନା ଦେଇଛନ୍ତି । ଏ ସମ୍ପର୍କରେ ଏକ ମାମଲା ୧୭/୨୦୨୪ ରୁଜୁ କରି ଅଧିକ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.