ପୁରୀ : ଶ୍ରୀମନ୍ଦିରରୁ ଦୈନିକ ଠାକୁରଙ୍କ ବ୍ୟବହାର ପରେ ବାହାରୁଥିବା ପୂଜା ଫୁଲ, ତୁଲସୀ, ବ୍ୟବହୃତ ଅନୁପଯୋଗୀ ମହାପ୍ରସାଦ, ନଡ଼ିଆ କତା, କଦଳୀ ପତ୍ର ସମେତ ରୋଷଘରୁ ବାହାରୁଥିବା ପରିବା ଚୋପା ପ୍ରଭୃତି ବ୍ୟବହାର କରାଯାଇ ଏହି ଜୈବିକ ଖତ ଓ ବାୟୋଗ୍ୟାସ୍ ପ୍ରସ୍ତୁତ କରାଯିବ । ପିଜିସିଆଇଏଲ୍ ଇଣ୍ଡିଆ ସହାୟତାରେ ଏହି ପ୍ଲାଣ୍ଟ ମାଳତିପାଟପୁରଠାରେ ପ୍ରତିଷ୍ଠା କରାଯାଇଛି । ପ୍ରକଳ୍ପ କାମ ଶେଷ ହେବା ସ୍ଥିତିରେ ରହିଛି । ଦୈନିକ ପ୍ରାୟ ୩ଟନ୍ ବର୍ଜ୍ୟବସ୍ତୁ ପରିଚାଳନା କ୍ଷମତା ଏହି ପ୍ଲାଣ୍ଟର ରହିଛି । ପ୍ରକଳ୍ପ ଅଗ୍ରଗତି ନେଇ ଏଠାକୁ ପରିଦର୍ଶନ କରିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଏଠାରେ ମୁତୟନ ଯନ୍ତ୍ରୀ ଓ କର୍ମଚାରୀଙ୍କ ସହ ପ୍ରକଳ୍ପ ସ୍ଥିତି ନେଇ ଆଲୋଚନା କରିଥିଲେ । ପ୍ଲାଣ୍ଟ ନିର୍ମାଣ କାମ ଶେଷ ପରେ ବର୍ଜ୍ୟବସ୍ତୁ ଏଠାକୁ ଯିବ ବୋଲି ଜଣାପଡ଼ିଛି । ଏଠାରେ ପ୍ରସ୍ତୁତ ଜୈବିକ ଖତ ଚାଷୀଙ୍କ କାମରେ ଆସିବ । ବାୟୋଗ୍ୟାସ୍ ଶ୍ରୀମନ୍ଦିର ଓ ଲୋକଙ୍କ ବ୍ୟବହାରରେ ଆସିବ । ଶ୍ରୀମନ୍ଦିରରୁ ବାହାରୁଥିବା ବର୍ଜ୍ୟବସ୍ତୁ ବାୟୋମାଇନ୍ ଜରିଆରେ ନ୍ୟାଚୁରାଲ୍ ଗ୍ୟାସ୍ ଓ ଜୈବିକ ଖତ ହେବ । ଜୈବିକ ଖତ ଶ୍ରୀମନ୍ଦିରରେ ଉପବନ ନିମନ୍ତେ ବ୍ୟବହାର ହେବ । ବାୟୋଗ୍ୟାସ୍ ବା ରନ୍ଧନ ଉପଯୋଗୀ ଗ୍ୟାସ୍କୁ ଶ୍ରୀମନ୍ଦିରରେ କିମ୍ବା କ୍ୟାଣ୍ଟିନ୍ରେ ରୋଷେଇ ନିମନ୍ତେ ବ୍ୟବହାର ହେବ । ଏପରି ଭାବେ ଉଦ୍ୟାନର ଫୁଲ, ଚାଷ ଜମିର ପରିବା ଓ ରୋଷ ଘର ବର୍ଜ୍ୟବସ୍ତୁ ରିସାଇକେଲିଂ ପ୍ରକ୍ରିୟାରେ ପୁନଶ୍ଚ ଉଦ୍ୟାନ, ଚାଷ ଜମି ଓ ରୋଷ ଘରେ ପୁନଶ୍ଚ ବ୍ୟବହାର ହୋଇପାରିବ ।
Prev Post
Next Post