୩୪ ବର୍ଷ ପରେ ଖୋଲିଲା ସ୍ୱାଧୀନତା ସଂଗ୍ରାମୀଙ୍କ ଜବତ ବାକ୍ସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ସ୍ୱାଧୀନତା ପରବର୍ତ୍ତୀ ପ୍ରି ଆସେମ୍ବ୍ଲି ବିଧାୟକ କପୁର୍ଚ୍ଚନ ନାଏକଙ୍କ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଲୋଇସିଂହା ବ୍ଲକ ଯୋଗୀସର୍ଡା ସ୍ଥିତ ପ୍ରାଥମିକ କୃଷି ସେବା ସମବାୟ ସମିତିର ଗୋଦାମ ଘରେ ପଡିରହିଥିଲା । ତେବେ ବିଭିନ୍ନ ମହଲରେ ଏ ନେଇ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ସମବାୟ ବିଭାଗ ପକ୍ଷରୁ ଏହାର ତଦନ୍ତ କରାଯାଇ ଜବତ ବାକ୍ସର ତାଲା ଭଙ୍ଗା ଯାଇଥିଲା । ଦୀର୍ଘ ୩୪ ବର୍ଷ ପୂର୍ବରୁ ସମବାୟ ବିଭାଗ ପକ୍ଷରୁ ଏକ କୃଷିଋଣକୁ କେନ୍ଦ୍ର କରି ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ନାଏକଙ୍କ ପୁତ୍ର ନୀଳମଣି ନାଏକଙ୍କ ଘରୁ ଉକ୍ତ ଦସ୍ତାବିଜ ସହ କିଛି ସାମଗ୍ରୀ ଓ ଲୁହାବାକ୍ସ ଜବତ କରାଯାଇଥିଲା । ସେହିଦିନରୁ ଏହା ଉକ୍ତ ଗୋଦାମ ଘରେ ପଡ଼ିରହିଥିଲା । ଦୀର୍ଘ ବର୍ଷ ଧରି ଏହି ଦସ୍ତାବିଜ ପଡିରହିଥିବା ଫଳରେ ସେଥିରୁ ଅନେକ କିଛି ନଷ୍ଟ ହୋଇଯାଇଥିବା ଜଣାପଡିଛି । ଉକ୍ତ ଦସ୍ତାବିଜ ଭିତରେ ଜାତିର ପିତା ମହାତ୍ମା ଗାନ୍ଧୀ ସ୍ୱର୍ଗତ ନାଏକଙ୍କୁ ଦେଇଥିବା ଏକ ହାତଲେଖା ଚିଠି ସହିତ ସ୍ୱାଧୀନତା ସଂଗ୍ରାମ କାଳରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ, କାଗଜପତ୍ର ଏବଂ ଅନ୍ୟ ସାମଗ୍ରୀ ରହିଥିବା ପରିବାର ଏବଂ ତଥ୍ୟଭିଜ୍ଞ ମହଲରୁ ଚର୍ଚ୍ଚା ହେଉଥିଲା । ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ନାଏକଙ୍କ ଏଭଳି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଓ ସାମଗ୍ରୀ ଦୀର୍ଘ ୩୪ ବର୍ଷ ଧରି ସେଠାରେ ଜବତ ହୋଇ ରହିଥିଲେ ମଧ୍ୟ ତାକୁ ଉଦ୍ଧାର ଦିଗରେ ପ୍ରୟାସ କରାଯାଇ ନ ଥିବାରୁ ବୁଦ୍ଧିଜୀବୀ ମହଲରେ ଉଦବେଗ ପ୍ରକାଶ ପାଇଥିଲା । ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ନାଏକ ୧୯୫୯ ମସିହାରେ ମୃତ୍ୟୁବରଣ କରିଥିଲେ । ମିଳିଥିବା ସୂଚନା ମୁତାବକ, ସ୍ୱର୍ଗତ ନାଏକଙ୍କ ଦସ୍ତାବିଜ ଓ ସାମଗ୍ରୀ ତାଙ୍କ ପୁତ୍ର ନୀଳମଣି ନିଜ କେଉଁଟିପାଲି ଘରେ ସାଇତି ରଖିଥିଲେ । ନୀଳମଣି ୧୯୮୪ରେ ସମବାୟ ସମିତିରୁ ଏକ କୃଷିଋଣ ନେଇଥିଲେ । ସେହିବର୍ଷ ମରୁଡି ହେବାରୁ କୃଷିଋଣ ଛାଡ଼ ଦାବୀ କରି ସେ ଅଂଚଳର ଚାଷୀଙ୍କୁ ଏକତ୍ରିତ କରିବା ସହିତ ଆନ୍ଦୋଳନ କରିଥିଲେ । ଏହାକୁ କେନ୍ଦ୍ର କରି ତତ୍କାଳୀନ ସମବାୟ ବିଭାଗର ଜଣେ ଅଧିକାରୀ ପ୍ରତିଶୋଧ ପରାୟଣ ହୋଇ ୧୯୮୮ ମସିହାରେ ତାଙ୍କ କେଉଁଟିପାଲି ସ୍ଥିତ ବାସଗୃହରେ ଚଢ଼ାଉ କରି କିଛି ସମ୍ପତ୍ତି ସମେତ ୬ଟି ବଡ଼ ଟିଣ ବାକ୍ସ ଜବତ କରି ନେଇଥିଲେ । ସେହିଦିନଠାରୁ ସମବାୟ ସମିତିର ଗୋଦାମ ଘରେ ସ୍ୱର୍ଗତ ନାଏକଙ୍କ ସନ୍ତକ ଗୁଡିକ ପରିତ୍ୟକ୍ତ ଅବସ୍ଥାରେ ପଡି ରହିଥିଲା । ସମବାୟ ବିଭାଗ ଏସ୍‌ଆର୍‌ସିଏସ୍‌ ରବୀନ୍ଦ୍ର ପଣ୍ଡା, ପ୍ରେମାନନ୍ଦ ଦୀପ, ଲୋଇସିଂହା ସମବାୟ ବ୍ୟାଙ୍କ ଶାଖା ପରିଚାଳକ ସ୍ୱାଗତିକା ଦାସ, ପେକ୍ସ ସଭାପତି ହୃଦୟାନନ୍ଦ ବେହେରା, ସମ୍ପାଦକ ଘନଶ୍ୟାମ ପୁଟାଙ୍କ ଉପସ୍ଥିତିରେ ବାକ୍ସ ଗୁଡିକର ତାଲା ଭଙ୍ଗା ଯାଇଥିଲା । ତେବେ ସେଥିରେ ଥିବା ଅନେକ ଦସ୍ତାବିଜ ଉଇ ଖାଇ ନଷ୍ଟ ହୋଇ ଯାଇଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.