jayashree

‘ବ୍ଲାକ୍‌ ହୋଲ’ ଅଧ୍ୟୟନ ଲାଗି ‘ଏକ୍ସପୋସାଟ୍‌’ ଉତ୍‌କ୍ଷେପଣ କଲା ‘ଇସ୍ରୋ’

ଶ୍ରୀହରିକୋଟା : ‘ନ୍ୟୁଟ୍ରନ୍‌ ଷ୍ଟାର୍‌’ ବା ନଷ୍ଟ ହୋଇଯାଇଥିବା ତାରକା ଓ ତହିଁରୁ ସୃଷ୍ଟ ‘ବ୍ଲାକ୍‌ ହୋଲ’ ଉପରେ ଅଧ୍ୟୟନ କରିବା ଲାଗି ଆଜି ‘ଇସ୍ରୋ’ ମହାକାଶକୁ ‘ଏକ୍ସପୋସାଟ୍‌’ ଉତ୍‌କ୍ଷେପଣ କରିଥିବା ଜଣାପଡିଛି । ଆଜି ସକାଳ ୯.୧୦ରେ ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ୍‌ ମହାକାଶ କେନ୍ଦ୍ରରୁ ‘ପୋଲାର୍‌ ସାଟେଲାଇଟ୍‌ ଲଞ୍ଚ୍‌ ଭେଇକ୍ଲ୍‌’ (ପିଏସ୍‌ଏଲ୍‌ଭି-ସି୫୮) ତା’ର ୬୦ତମ ଉତ୍‌କ୍ଷେପଣରେ ‘ଏକ୍ସପାଟୋ’କୁ ନେଇ ମହାକାଶକୁ ଯାଇଥିବା କଥା ‘ଇସ୍ରୋ’ କହିଛି ।

ଏହି ‘ଏକ୍ସପୋସାଟ୍‌’ (ଏକ୍ସ-ରେ ପୋଲାରିମିଟର୍‌ ସାଟେଲାଇଟ୍‌) ହେଉଛି ‘ପୋଲାରିମେଟ୍ରି’ ଜଗତ ନିମନ୍ତେ ଭାରତର ପ୍ରାରମ୍ଭିକ ଅଭିଯାନ । ଅତ୍ୟନ୍ତ ପ୍ରତିକୂଳ ପରିସ୍ଥିତିରେ ଉଜ୍ଜ୍ବଳ ମହାଜାଗତିକ ଏକ୍ସ-ରେ ଉତ୍ସର ବିଭିନ୍ନ ପ୍ରକ୍ରିୟା ଅଧ୍ୟୟନ କରିବା ହେଉଛି ଏହାର ଉଦ୍ଦେଶ୍ୟ । ଏଥିରେ ‘ନ୍ୟୁଟ୍ରନ୍‌ ଷ୍ଟାର୍‌’, ‘ବ୍ଲାକ୍‌ ହୋଲ୍‌’ ସମେତ ଅନ୍ୟାନ୍ୟ ଉଚ୍ଚ ଶକ୍ତିସମ୍ପନ୍ନ ପ୍ରକ୍ରିୟା ଅନୁଧ୍ୟାନ ଅନ୍ତର୍ଭୁକ୍ତ । ଏହାଦ୍ୱାରା, ଏସବୁ ବିଷୟରେ ଆଗରୁ ଥିବା ପାରମ୍ପରିକ ଧାରଣାକୁ ବାଦ ଦେଇ ବୈଜ୍ଞାନିକମାନେ ଅତିରିକ୍ତ ଜ୍ଞାନ ହାସଲ କରିବେ ।

ସୂଚନାଯୋଗ୍ୟ, ତାରାଗୁଡ଼ିକରୁ ଇନ୍ଧନ ଶେଷ ହୋଇଗଲେ ସେମାନେ ଆପଣା ମଧ୍ୟାକର୍ଷ ବଳରେ ସଙ୍କୁଚିତ ହୋଇ ନଷ୍ଟ ହୋଇଯାଆନ୍ତି । ଫଳରେ ସେଥିରୁ ‘ବ୍ଲାକ୍‌ ହୋଲ’ ଓ ‘ନ୍ୟୁଟ୍ରନ୍‌ ଷ୍ଟାର୍‌’ ନିର୍ଗତ ହୁଏ । ବିଶ୍ବବ୍ରହ୍ମାଣ୍ଡରେ ‘ବ୍ଲାକ୍‌ ହୋଲ’ର ମାଧ୍ୟାକର୍ଷଣ ଶକ୍ତି ସର୍ବାଧିକ ହୋଇଥିବା ବେଳେ ‘ନ୍ୟୁଟ୍ରନ୍‌ ଷ୍ଟାର୍‌’ର ସାନ୍ଦ୍ରତା ସର୍ବାଧିକ ହୋଇଥାଏ ।

Leave A Reply

Your email address will not be published.