ବଲାଙ୍ଗିର, (କେପିଏନ୍ଏସ୍) : ପାଣି ଟାଙ୍କି ଉପରୁ ଯୁବକଙ୍କୁ ଉଦ୍ଧାର କରିଛନ୍ତି ବଲାଙ୍ଗିର ଅଗ୍ନିଶମ ବିଭାଗ କର୍ମଚାରୀମାନେ । ଉଦ୍ଧାର ଯୁବକ ଜଣକ ପୁଇଁତଲା ନିବାସୀ କୋଶଲବାଦୀ ଇନ୍ଦ୍ରମଣି ସାହୁ ବୋଲି ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ଆଜି ପୂର୍ବାହ୍ନରେ ବଲାଙ୍ଗିର ସହରର କଲେଜ ଛକ ପିଏଚ୍ଡ଼ି ଜୁନିଅର୍ ଇଂଜିନିଅର୍ଙ୍କ କାର୍ୟ୍ୟାଳୟ ପରିସରରେ ରହିଥିବା ୮୦ ଫୁଟ୍ ଉଚ୍ଚତା ବିଶିଷ୍ଟ ପାଣି ଟାଙ୍କି ଉପରକୁ ଚଢ଼ି ଜଣେ ଯୁବକ ସ୍ୱତନ୍ତ୍ର କୋଶଲ ରାଜ୍ୟ ଦାବୀ ନେଇ ବିଭିନ୍ନ ପ୍ରକାର ନାରା ଦେଉଥିବା ବେଳେ ପାଣି ଟାଙ୍କି ଉପରେ ଏକ ବ୍ୟାନର୍ ଲଗାଇଥିବା ବି ଦେଖିବାକୁ ମିଳିଥିଲା । ଯୁବକ ଜଣକ ଜଏ କୋଶଲ୍, କଟ୍କିଆ ତୁଇ କୋଶଲ୍ ଛାଡ଼୍- ନେଇଁ ହେଲେ ପଡ଼୍ବା ବେଟେନ୍ ମାଡ଼୍ ଭଳି ନାରା ଦେଉଥିବା ବେଳେ ବଲାଙ୍ଗିର କଲେଜ ଛକ ଆଜି ଦେଖଣାହାରୀଙ୍କ ଭିଡ଼ରେ ଲୋକାରଣ୍ୟ ପାଲଟିଯାଇଥିଲା । ଘଟଣାସ୍ଥଳରେ ବଲାଙ୍ଗିର ଟାଉନ୍ ଥାନା ଆଇଆଇସି ବିଶ୍ୱଜିତ ମନବୋଧ ପୋଲିସ୍ ଟିମ୍ ସହ ଉପସ୍ଥିତ ରହିଥିବା ବେଳେ ବଲାଙ୍ଗିର ଅଗ୍ନିଶମ ବିଭାଗର କର୍ମଚାରୀମାନେ ଆସି ଯୁବକଙ୍କୁ କାବୁ କରିଥିଲେ । ଏହାପରେ ଟାଉନ୍ ପୋଲିସ ଯୁବକଙ୍କୁ ମେଡ଼ିକାଲ୍ ପରୀକ୍ଷା ପରେ ଟାଉନ୍ ଥାନାରେ ଅଟକ ରଖି ପଚରା ଉଚରା କରି ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ଇନ୍ଦ୍ରମଣି ପାଣିଟାଙ୍କିକୁ ଚଢ଼ୁଥିବା ଓ ଟାଙ୍କି ଉପରେ ବସି ଯୁବକ ସ୍ୱତନ୍ତ୍ର କୋଶଲ ରାଜ୍ୟ ଦାବୀ କରୁଥିବା ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ନିଜେ ଭାଇରାଲ୍ କରିଥିବା ଦେଖିବାକୁ ମିଳିଛି ।
Next Post