oom

ଯାଦବ ଭବନରେ ସୂଚନା ଅଧିକାର କର୍ମି ହେମନ୍ତ କୁମାର ପଣ୍ଡାଙ୍କ ସମ୍ବାଦିକ ସମ୍ମିଳନୀ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଖୋର୍ଦ୍ଧା ରୋଡ-ବଲାଙ୍ଗିର ନିର୍ମାଣାଧିନ ରେଳପଥ ପାଇଁ ଚଳିତ ବଜେଟରେ ୮୯୧ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ରାଜ୍ୟର ସମସ୍ତ ପ୍ରକଳ୍ପ ଠାରୁ ଏହା ସର୍ବାଧିକ ବୋଲି କୁହାଯାଉଛି । କିନ୍ତୁ ଅଧିକ ଅର୍ଥ ବ୍ୟୟ ବରାଦ କରାଯାଇ ଖର୍ଚ୍ଚ କମ୍‌ କରାଯିବା ପୁରୁଣା ଅଭ୍ୟାସକୁ ଖୋର୍ଦ୍ଧାରୋଡ-ବଲାଙ୍ଗିର ରେଳପ୍ରକଳ୍ପ କ୍ଷେତ୍ରରେ ପୁଣି ଥରେ କେବଳ ଦୋହରାଯାଇଛି ବୋଲି ବଲାଙ୍ଗିରର ବିଶିଷ୍ଟ ସୂଚନା ଅଧିକାର କର୍ମି ହେମନ୍ତ କୁମାର ପଣ୍ଡା ଆଜି ସ୍ଥାନୀୟ ଯାଦବ ଭବନ ଠାରେ ଅନୁଷ୍ଠିତ ସମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି । ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ ବଜେଟ ଅନୁଦାନର ଅନ୍ତର୍ଭୁକ୍ତ ହେବା ବର୍ଷଠାରୁ ବାର୍ଷିକ ବଜେଟ ଘୋଷଣାର ସମୁଦାୟ ଅର୍ଥକୁ ଖର୍ଚ୍ଚ କରାଯିବା ଉଦାହରଣ ଦୀର୍ଘ ୨୨ ବର୍ଷର ଇତିହାସରେ ନାହିଁ । ତେଣୁ ସର୍ବାଧିକ ବଜେଟ ବ୍ୟୟ ବରାଦ ରସଗୋଲା ସଦୃଶ ନୁହେଁ ବୋଲି ଶ୍ରୀ ପଣ୍ଡା କହିଛନ୍ତି । ଗତ ୫ ବର୍ଷରେ ଅର୍ଥାତ୍‌ ୧୬-୧୭ରୁ ୨୦-୨୧ ମଧ୍ୟରେ ପ୍ରକଳ୍ପ ପାଇଁ ୨୪୪୬ କୋଟି ଟଙ୍କା ଆବଣ୍ଟନ କରାଯାଇଥିବା ବେଳେ ଖର୍ଚ୍ଚ ହୋଇଛି ମାତ୍ର ୯୧୫ କୋଟି ୮୮ ଲକ୍ଷ ଟଙ୍କା ଯାହାକି ସମୂଦାୟ ଆବଣ୍ଟିତ ଅର୍ଥର ୪୦ ପ୍ରତିଶତରୁ ମଧ୍ୟ କମ୍‌ ଅଟେ ଅଥଚ ୨୦୧୧-୧୨ରୁ ୨୦୧୫-୧୬ ଅର୍ଥିକ ବର୍ଷ ତଥା ୫ ବର୍ଷ ମଧ୍ୟରେ ୩୫୫ କୋଟି ଟଙ୍କା ଆବଣ୍ଟନ କରାଯାଇଥିବା ବେଳେ ଖର୍ଚ୍ଚ କରାଯାଇଛି ୪୨୭ କୋଟି ଟଙ୍କା ବୋଲି ତଥ୍ୟରେ ରହିଛି । ସମୁଦାୟ ଏହି ଦଶ ବର୍ଷରେ ବଜେଟ ଘୋଷଣା ଏହାଠାରୁ ଆହୁରି ଅଧିକ । ପ୍ରକଳ୍ପ ପାଇଁ ବଜେଟ ଘୋଷଣା, ଅର୍ଥ ଆବଣ୍ଟନ ଓ ଖର୍ଚ୍ଚ ମଧ୍ୟରେ ଆକାଶ ପାତାଳ ପ୍ରଭେଦ ରହିଛି । ବଜେଟରେ ଅଧିକ ଅର୍ଥ ଘୋଷଣା କରି କମ୍‌ ଖର୍ଚ୍ଚ କରିବା ଦ୍ୱାରା ଓଡିଶା ପ୍ରତି ରେଳ ବିଭାଗର ଅବହେଳା ପ୍ରଚାରକୁ ହୁଏତ ଏଡାଇ ଦିଆଯାଇପାରେ, କିନ୍ତୁ ଏହା ଦ୍ୱାରା ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ ହେବ ନାହିଁ ବୋଲି ଶ୍ରୀ ପଣ୍ଡା କହିଛନ୍ତି । ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ପାଇଁ ୨୦୧୫ ମସିହାରେ ଏକ ରାଜିନାମାରେ ରାଜ୍ୟସରକାର ଓ ରେଳବିଭାଗ ସ୍ୱାକ୍ଷର କରିଥିଲେ । ରାଜିନାମା ଅନୁଯାୟୀ ନିର୍ମାଣ କାର୍ଯ୍ୟର ୫୦-୫୦ ଭାଗ ଅର୍ଥ ରାଜ୍ୟ ଓ କେନ୍ଦ୍ର ବହନ କରିବେ । ଜମି ଅଧିଗ୍ରହଣ ୨ ବର୍ଷ ୬ ମାସ ମଧ୍ୟରେ କରାଯାଇ ମାଗଣାରେ ରାଜ୍ୟ ଜମି ଯୋଗାଇ ଦେବ ଏବଂ ୨୦୨୧ ମସିହା ସୁଦ୍ଧା ପ୍ରକଳ୍ପ କାର୍ଯ୍ୟକୁ ଶେଷ କରାଯିବ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଜମି ଅଧିଗ୍ରହଣ ଶେଷ ହୋଇନାହିଁ ବୋଲି ତଥ୍ୟରେ ଉଲ୍ଲେଖ ରହିବା ସଂଗେ ଏହି ସମୟସୀମା ମଧ୍ୟରେ ରାଜିନାମା ଅନ୍ତର୍ଭୁକ୍ତ ୧୭୭ କିମିରୁ ଅର୍ଥାତ ଦଶପଲ୍ଲାରୁ ବଲାଙ୍ଗିର ମଧ୍ୟରେ ମାତ୍ର ୧୪.୫୮ କିମି ବିଛୁପାଲି ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ତେବେ ଏହି ରାଜିନାମାର ସମୟସୀମା ଇତିମଧ୍ୟରେ ଶେଷ ହୋଇଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ରାଜିନାମାର ନବୀକରଣ କରାଯାଇ ନାହିଁ । ଗତ ୨୧ ଡିସେମ୍ବରରେ ଇଷ୍ଟ କୋଷ୍ଟ ରେଲୱେ ଭୂବନେଶ୍ୱରର ଚିଫ୍‌ ପ୍ରୋଜେକ୍ଟ ମ୍ୟାନେଜର(୧) ୨୦୨୫ ମସିହା ପର୍ଯ୍ୟନ୍ତ ଏହାର ନବୀକରଣ ପାଇଁ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବଙ୍କୁ ପତ୍ର ଦେଇଛନ୍ତି, କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ନବୀକରଣ କରାଯାଇ ନାହିଁ । କେଉଁ ଭିତ୍ତିରେ ଅର୍ଥ ଖର୍ଚ୍ଚ ହେବ ତାହା ଏକ ପ୍ରଶ୍ନବାଚୀ ବୋଲି ଶ୍ରୀ ପଣ୍ଡା କହିଛନ୍ତି । ରାଜିନାମା ସମ୍ପ୍ରସାରଣ ପାଇଁ ଦିଯାଇଥିବା ପତ୍ରର ସମୟସୀମାରେ ୨୦୨୫ ମସିହା ଉଲ୍ଲେଖ ରହିଛି । ପ୍ରକଳ୍ପକୁ ସମ୍ପୂର୍ଣ କରିବା ପାଇଁ ଧାର୍ଯ୍ୟ ସମୟସୀମାକୁ ନେଇ ୨୮ ବର୍ଷ ପରେ ମଧ୍ୟ ଅନିଶ୍ଚିତତା ରହିଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି । ପ୍ରକଳ୍ପ ପ୍ରତି ଅବହେଳା ଜଳ ଜଳ ହୋଇ ଦିଶୁଛି ବୋଲି ମଧ୍ୟ ସେ କହିଛନ୍ତି । ରାଜିନାମା ସମୟ ସୀମା ମଧ୍ୟରେ ଓଡିଶା ୪୮୩ କୋଟି ଟଙ୍କା ରେଳ ବିଭାଗକୁ ପ୍ରଦାନ କରିଥିବା ବେଳେ ଖର୍ଚ୍ଚ କରାଯାଇଛି କେବଳ ୨୦୬ କୋଟି ବୋଲି ତଥ୍ୟରେ ଉଲ୍ଲେଖ ରହିଛି । ରାଜ୍ୟ ସରକାରଙ୍କ ପ୍ରଦତ୍ତ ଅର୍ଥକୁ ମଧ୍ୟ ସମ୍ପୂର୍ଣ ଭାବେ ରାଜିନାମା ସମୟ ଅବଧି ତଥା ୬ ବର୍ଷ ମଧ୍ୟରେ ଖର୍ଚ୍ଚ କରାଯାଇ ନାହିଁ । ଖୋର୍ଦ୍ଧାରୋଡ- ବଲାଙ୍ଗିର ନିର୍ମାଣାଧିନ ରେଳପଥ ପାଇଁ ଅର୍ଥ ଘୋଷଣା ଓ ବାସ୍ତବ ସ୍ଥିତିକୁ ଅନୁଧ୍ୟାନ କଲେ, ଅବହେଳାର ସୁଦୀର୍ଘ ଇତିହାସରେ କେବଳ ଆଉ ଏକ ପୃଷ୍ଠା ଯୋଡି ହୋଇଛି ବୋଲି ସୂଚନା କର୍ମି ପଣ୍ଡା କହିଛନ୍ତି । “ମାଗିଲେ ଭାତ-ଡାଲମା ପାଇଲେ ରସଗୋଲା” ବୋଲି ଯାହା କୁହାଯାଉଛି ବାସ୍ତବରେ ପଶ୍ଚମ ଓଡିଶାର ପ୍ରସିଦ୍ଧ ଗୁଲୁଗୁଲା ବରାକୁ ଶସ୍ତା ଲୋକପ୍ରିୟତା ପାଇଁ ରସଗୋଲାର ଭ୍ରମ ସୃଷ୍ଟି କରାଯାଉଛି ବୋଲି ଶ୍ରୀ ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ତଥ୍ୟ ଉପସ୍ଥାପନ ପୂର୍ବକ କହିଛନ୍ତି ।

jittmm
Leave A Reply

Your email address will not be published.