
- ପାଟପାଣି ଡଙ୍ଗର ବାଘବିନ୍ଧା ପୋଖରୀ ନିକଟରୁ ଶବ ଉଦ୍ଧାର
- ଥାନାରେ ହତ୍ୟାକାରୀ ପ୍ରେମିକ, ପିତା ଓ ଭାଇ ଅଟକ
- ଖର୍ଲି ଗାଁରେ ଚାପା ଉତ୍ତେଜନା, ପୋଲିସ ଛାଉଣିରେ ଗାଁ
କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅଧିନସ୍ଥ ଖର୍ଲି ଗାଁର ଜଣେ ନାବାଳିକା ଝିଅକୁ ସେହି ଗାଁର ଜଣେ ଯୁବକ ଦୀର୍ଘ ଦିନରୁ ପ୍ରେମ ସଂପର୍କ ରଖିବା ପରେ ତାଙ୍କୁ ହତ୍ୟା କରି ନିକଟସ୍ଥ ପାଟପଣି ଡଙ୍ଗର ନିକଟରେ ପୋତି ଦେଇଥିବା ବେଳେ ପୋଲିସର ଅନୁସଂଧାନ ପରେ ମୃତ ନାବାଳିକାର ଶବକୁ ଉଦ୍ଧାର କରିଛି । ମିଳିଥିବା ସୂଚନା ଅନୁସାରେ ତୁରେକେଲା ଥାନା ଓ ଲାଠୋର ଥାନାର ସୀମାରେ ଥିବା ଖର୍ଲି ଗାଁର ଜଣେ ନାବାଳିକା ଛଦ୍ମନାମ ପ୍ରେମସୂତା ଭଇଁଷାଳ(୧୫) ପିତା ପ୍ରସନ୍ନ ଭଇଁସାଲକୁ ସେହି ଗାଁର ଛଦ୍ମନାମ ପ୍ରୀତମ ଶବର(୧୬) ପିତା ଦେବାନନ୍ଦ ଶବର ଦୀର୍ଘ ଦିନରୁ ପ୍ରେମ କରି ଆସୁଥିଲା । ପ୍ରେମ ସଂପର୍କ ନିବିଡ ହେବାରୁ ଉଭୟେ ଗତ ତା୨୫/୭/୨୦୨୨ ରିଖ ବିଳମ୍ବିତ ରାତିରେ ଘରୁ ଫେରାର ହୋଇଥିଲେ । ଏହି ଘଟଣା ସକାଳେ ନାବାଳିକାର ପିତାମାତା ଜାଣିବା ପରେ ଖୋଜା ଖୋଜି କରିବା ସହିତ ନିଜ ସଂପର୍କୀୟମାନଙ୍କୁ ମଧ୍ୟ ବୁଝିଥିଲେ ହେଲେ କୌଣସି ଖବର ନ ମିଳିବାରୁ ବାଧ୍ୟ ହୋଇ ତା. ୨୭/୭/୨୦୨୨ ଦିନ ତୁରେକେଲା ଥାନାରେ ନାବାଳିକାର ପିତା ପ୍ରସନ୍ନ ଏକ ଲିଖିତ ମିସିଙ୍ଗ ଅଭିଯୋଗ ଦେଇଥିଲେ । ମିସିଙ୍ଗ ଅଭିଯୋଗକୁ ଭିତ୍ତିକରି ତୁରେକେଲା ପୋଲିସ ଅନୁସଂଧାନ କରିବା ମଧ୍ୟରେ ଖର୍ଲି ଗାଁର ପ୍ରତାପ ଶବର ଓ ତାର ପିତା ଦେବାନନ୍ଦ ଶବରକୁ ପୋଲିସ ପଚରା ଉଚୁରା ପାଇଁ ଥାନାକୁ ଆଣି ଅଧିକ ଅନୁସଂଧାନ କରିଥିଲା । ଏହି ଘଟଣା ଅନୁସଂଧାନ କରିବା ମଧ୍ୟରେ ୩୦/୭/୨୦୨୨ ଦିନ ତୁରେକେଲା ପୋଲିସ ପ୍ରୀତମ ଶବରର ବଡଭାଇ ଶଶି ଶବରଙ୍କୁ ଥାନାକୁ ଆଣି ଅଧିକ ପଚରା ଉଚୁରା କରିବାରେ ପ୍ରିତମ ଶବର ନାବାଳିକା ପ୍ରେମସୂତାକୁ ହତ୍ୟା କରିଥିବା ସ୍ୱିକାର କରିଛି । ଏହା ପରେ ପୋଲିସ ପ୍ରୀତମର ସୂଚନା ମୁତାବକ ପାଟପାଣି ଡଙ୍ଗର ନିକଟସ୍ଥ ଭାଲୁକୁନା ଗାଁର ବାଘବିନ୍ଧା ପୋଖରୀ ନିକଟସ୍ଥ ଏକ ଗାତରୁ ମୃତଦେହ ଉଦ୍ଧାର କରିଛି । ପୋଲିସ ଅନୁସଂଧାନ କରିବା ସହିତ ପଚରା ଉଚୁରା କରିବାରେ ପ୍ରିତମ ଶବର ହତ୍ୟା କରିଥିବା ସ୍ୱିକାର କରିବା ପରେ ଘଟଣାସ୍ଥଳକୁ ବଲାଙ୍ଗିର ପୋଲିସ ଏସ୍.ପି. ନିତିନ କୁଶଲକର, ସାଇଂଟିଫିକ ଟିମ ବଲାଙ୍ଗିର, କଣ୍ଟାବାଞ୍ଜି ଅତିରିକ୍ତ ତହସିଲଦାର ତଥା ଏକଜ୍ୟୁକୁଟିଭ୍ ମାଜିଷ୍ଟ୍ରେଟ ଯୋଗେଶ୍ୱର ଧରୁଆ, ବଲାଙ୍ଗିର ସଦର ଥାନା ଆଇ.ଆଇ.ସି. ଶ୍ରୀକାନ୍ତ ସାହୁ, ଲାଠୋର ଆଇ.ଆଇ.ସି. ଧର୍ମେନ୍ଧ୍ର କାନ୍ତି, କଣ୍ଟାବାଞ୍ଜି ଆଇ.ଆଇ.ସି. ସତ୍ୟଜିତ କନ୍ଦନକେଲ, ତୁରେକେଲା ଆଇ.ଆଇ.ସି. ପ୍ରଣୟ ମୁର୍ମୁଙ୍କ ସହ ବୟାନ ରେକର୍ଡ ପାଇଁ କଣ୍ଟାବାଞ୍ଜି ତହସିଲରୁ ପ୍ରଫୁଲ୍ଲ ପ୍ରଧାନ ମଧ୍ୟ ଘଟଣାସ୍ଥଳରେ ନିୟୋଜିତ ଥିଲେ । ଏହି ଘଟଣା ଉପରେ ନାବାଳିକାକୁ କେବେ ହତ୍ୟା କରାଯାଇଛି କେଉଁଠାରେ ହତ୍ୟା ହୋଇଛି ଏହାର ସବିଶେଷ ପୋଲିସକୁ ପଚାରିବାରୁ ଏ ବିଷୟରେ ଏସ.ପି. ସମସ୍ତ ତଥ୍ୟ ଦେବେ ବୋଲି କହିଥିବା ବେଳେ ଗାଁରେ ଚାପା ଉତ୍ତେଜନା ଥିବାରୁ ପୋଲିସ ମୁତୟନ କରାଯାଇଛି । ଏହି ଘଟଣା ଉପରେ ତୁରେକେଲା ଥାନା କେସ ନଂ. ୧୫ /୨୦୨୨ ରୁଜୁ କରି ଅଧିକ ଅନୁସଂଧାନ ଜାରି ଥିବା ବେଳେ ଏହି ଖବର ଲେଖିବା ମଧ୍ୟରେ ମୃତର ଶବକୁ କଣ୍ଟାବାଞ୍ଜି ଡାକ୍ତରଖାନାକୁ ଶବ ବ୍ୟବଛେଦ ପାଇଁ ପଠାଯାଇଛି ।