ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ବାରଖମା ଫାଣ୍ଡି ଅନ୍ତର୍ଗତ ଗାଟିଙ୍ଗିଆ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ସାମାନ୍ୟ ବଚସାରୁ ଗୋଡେ଼ଇ ଗୋଡେ଼ଇ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ, ଉକ୍ତ ଗ୍ରାମର ସାମାନ୍ୟ ମାନସିକ ବିକାରଗ୍ରସ୍ତ ଜଣେ ଯୁବକ ଜପ ମଲ୍ଲିକ (୪୫) ଓ ଡକିଲା ମଲିକ (୪୨) ମଧ୍ୟରେ କିଛି କଥାକୁ ନେଇ ସାମାନ୍ୟ ବଚସା ହୋଇଥିଲା । ମାନସିକ ରୋଗୀ ଜପ ମଲିକ ହଠାତ୍ ରାଗିଯାଇ ଡକିଲା ମଲିକଙ୍କୁ ଟାଙ୍ଗିଆରେ ଗୋଡେ଼ଇ ଗୋଡେ଼ଇ ହାଣିଥିବା ଅଭିଯୋଗ କରିଛନ୍ତି ପରିବାର ଓ ଅଞ୍ଚଳବାସୀ । ପରିବାର ଓ ସ୍ଥାନୀୟ ଲୋକେ ଗୁରୁତର ଡକିଲା ମଲ୍ଲିକଙ୍କୁ ସଙ୍ଗେ ସଙ୍ଗେ ପ୍ରଥମେ ବାରଖମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତିକରି ପ୍ରାଥମିକ ଚିକିତ୍ସା ପରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ । ସେଠାରେ ଡକିଲା ମଲିକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ, କିନ୍ତୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଡକିଲା ମଲିକଙ୍କୁ ମୃତ ଘୋଷଣା କରିଥିଲେ । ଏପଟେ ଖବର ପାଇ ବାଲିଗୁଡ଼ା ଥାନା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ଜପ ମଲିକଙ୍କୁ ଗିରଫ କରିବା ସହ ତଦନ୍ତ ଅବ୍ୟାହତ ରଖିଥିବା ଜଣାପଡିଛି । ଡକିଲା ମଲ୍ଲିକଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିବା ବିଷୟ ବାଲିଗୁଡ଼ା ଥାନା ଅଧିକାରୀ ଶିବ ଶଙ୍କର ସିଙ୍ଗ ସୂଚନା ଦେଇଛନ୍ତି ।
Prev Post