ପୁଣି ଜଣଙ୍କ ମୁଣ୍ଡ ନେଲେ ହାତୀପଲ

  • ବଣୁଆ ହାତୀପଲ ଆକ୍ରମଣରେ ଖଲିଆପାଲିର ଜଣଙ୍କ ମୃତ୍ୟୁ
  • ମୁରିବାହାଲ ରେଞ୍ଜରେ ୬୦ଟିକିଆ ହାତୀପଲଙ୍କ ଆତଙ୍କ ଜାରି

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜ ଅଞ୍ଚଳରେ ଦୀର୍ଘ ବର୍ଷେ ହେଲା ୬୦ଟିକିଆ ହାତୀପଲଙ୍କ ଆତଙ୍କ ଜାରି ରହିଛି । ରବିବାର ଅପରାହ୍ନରେ ଏହି ହାତୀପଲଙ୍କ ଆକ୍ରମଣରେ ବଡ଼ସାଇମରା ପଞ୍ଚାୟତ ଖଲିଆପାଲି ଗ୍ରାମର ସତ୍ୟ ଦେଓ (୫୦)ନାମକ ଜଣେ ବ୍ୟକ୍ତିଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ମୃତ ସତ୍ୟ ଅନ୍ୟମାନଙ୍କ ସହିତ ଏକ କପା ବିଲରେ କାମ କରୁଥିବା ବେଳେ ହାତୀପଲ ହାବୁଡ଼ରେ ପଡ଼ିଥିଲେ । ତାଙ୍କୁ ହାତୀପଲ ଗୋଡ଼ାଇ ଆକ୍ରମଣ କରିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତଦେହକୁ ହାତୀପଲ ଦୀର୍ଘ ୩ଘଣ୍ଟା ପର୍ଯ୍ୟନ୍ତ ଘେରି ରହିଥିବାରୁ ଗ୍ରାମବାସୀ ତଥା ଜଙ୍ଗଲ ବିଭାଗ କର୍ମଚାରୀମାନେ ତାଙ୍କ ପାଖକୁ ଯାଇନପାରି ନାକେଦମ୍ ହେବାକୁ ପଡ଼ିଥିଲା । ପରେ ବନ ବିଭାଗ ଡ୍ରୋନ ଉଡ଼ାଇବାରୁ ହାତୀପଲ ଅନ୍ୟ ସ୍ଥାନକୁ ଚାଲିଯିବାରୁ ମୃତ ସତ୍ୟଙ୍କ ଶବ ଘଟଣା ସ୍ଥଳରୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ କଣ୍ଟାବାଞ୍ଜି ପଠାଯାଇଥିଲା । ମୃତକଙ୍କ ଘରେ ସ୍ତ୍ରୀ ଓ ତିନି ପୁଅଝିଅ ଅଛନ୍ତି । ସେ ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବାରୁ ତାଙ୍କ ପରିବାର ଲୋକଙ୍କୁ ସମସ୍ତ ପ୍ରକାରର ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି । ଶନିବାର ରାତିରେ ଏହି ହାତୀପଲ ତିଖାଲି ସଂରକ୍ଷିତ ଜଙ୍ଗଲରୁ ବାହାରି ମୁଖ୍ୟ ରାସ୍ତାପାର ହୋଇ ଇଚ୍ଛାପଡ଼ା ପଟକୁ ମୁହାଁଇ ବିଭିନ୍ନ ଫସଲ ନଷ୍ଟ କରିଥିଲେ । ହାତୀପଲ ରବିବାର ଦିନସାରା ପାଖ ଅଂଚଳରେ ଚଳପ୍ରଚଳ ହୋଇ ବିଭିନ୍ନ କପା କ୍ଷେତ ଓ ନୀଳଗିରି ନର୍ସରୀରେ ରହିଥିଲେ । ହାତୀପଲ ଇଚ୍ଛାପଡ଼ା ଅଞ୍ଚଳକୁ ଆସିଥିବା ଜାଣି ଜଇଁତରା ଫରେଷ୍ଟର ଧ୍ରୁବଚରଣ ବଗର୍ତ୍ତିଙ୍କ ସହ ସମସ୍ତ ବନବିଭାଗ କର୍ମଚାରୀ ଘଟଣା ସ୍ଥଳକୁ ପହଞ୍ଚିଥିଲେ । ପୂର୍ବରୁ ଚଳିତ ବର୍ଷ ଫେବୃୟାରୀ ୨୫ତାରିଖରେ ଏହି ରେଞ୍ଜ ଜଇଁତରା ସେକ୍ସନ ଗୋବିନ୍ଦପୁର ତିଖାଲୀ ସଂରକ୍ଷିତ ଜଙ୍ଗଲରେ ୩୫ଟିକିଆ ହାତୀପଲ ଆକ୍ରମଣ କରିବାରୁ ଘୁଷୁରାମୁଣ୍ଡା ଗ୍ରାମର ପାରାସ୍କ୍ୱାର୍ଡ ଓଙ୍କାରୀ ବାଗ(୩୫)ଙ୍କ ଶୋଚନୀୟ ମୃତ୍ୟୁ ଘଟିଥିଲା । ମୃତ ସତ୍ୟଙ୍କ ପୁଅଙ୍କ ଏତଲା ଆଧାରରେ ମୁରିବହାଲ ଥାନାରେ ଅପମୃତ୍ୟୁ କେଶ ନଂ ୧୬/୨୫ରୁଜ୍ଜୁ ହୋଇ ଅଧିକ ତଦନ୍ତ ଜାରି ରହିଥିବା ଭାରପ୍ରାପ୍ତ ଥାନା ଓଆଇସି ଦନାର୍ଦନ ଓରାମ ପ୍ରକାଶ କରିଛନ୍ତି । ହାତୀ ଆକ୍ରମଣରେ ମୃତ ସତ୍ୟଙ୍କ ପରିବାରଙ୍କୁ ମୋଟ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ଦିଆଯିବାକୁ ଥିବା ବେଳେ ସୋମବାର ୧ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ରେଞ୍ଜର ଶିବପ୍ରସାଦ ନାୟକ ପ୍ରକାଶ କରିଛନ୍ତି । ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଏହି ହାତୀପଲ ରାତିରେ ଭଣ୍ଡାରବାଞ୍ଜି ଗ୍ରାମ ଉପରମୁଣ୍ଡରେ ଥିବା ଜଣାପଡିଛି । ସେହିପରି ଅନ୍ୟ ଏକ ହାତୀପଲ ଶନିବାର ରାତିରେ ଏହି ରେଞ୍ଜ ମାଳିଶିରା ପଞ୍ଚାୟତ ଦେଶୀଲ ଗ୍ରାମର ଚାଷୀ ହରେକୃଷ୍ଣ ଗନିଆର,ଦିବାକର ବାଗ, ବରୁଣ ବାଗ, ନରହରି ଘିବେଲା, ନେତ୍ର ଘିବେଲାଙ୍କ ସହ ବହୁ ଚାଷୀଙ୍କ ବ୍ୟାପକ ଫସଲ ନଷ୍ଟ କରିଥିବା ସେମାନେ ଅଭିଯୋଗ କରି କ୍ଷତିପୁରଣ ଦାବୀ କରିଛନ୍ତି । ୬୦ଟିକିଆ ହାତୀପଲଙ୍କ ଆତଙ୍କରେ ବ୍ଲକ ଅଞ୍ଚଳରେ କୋକୁଆଭୟ ସହ ଦିନକୁ ଦିନ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ତୁରନ୍ତ ଏହି ହାତୀପଲକୁ ଅନ୍ୟ ଅଞ୍ଚଳକୁ ଘଉଡ଼ାଇବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.