centurian jitm

ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର ଠାରେ ପିଇବା ପାଣି ପାଇଁ ଲୋକେ ଡହଳ ବିକଳ

nschool
  • ଟଙ୍କା ଚାନ୍ଦା କରି ନଳକୂପ ସଜାଡିଛନ୍ତି ସ୍ଥାନୀୟ ଲୋକେ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ପ୍ରସିଦ୍ଧ ଶୈବପୀଠ ତଥା ପର୍ଯ୍ୟଟନ ସ୍ଥଳୀ ହରିଶଙ୍କରକୁ କୌଣସି ପରିଚୟର ଦରକାର ନଥିବାବେଳେ ଏବେ ବି ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି ସ୍ଥାନୀୟ ଲୋକ । କୋଟି କୋଟି ଟଙ୍କା ହରିଶଙ୍କର ଉନ୍ନତି କରଣ କାର୍ଯ୍ୟ ପାଇଁ ଖର୍ଚ୍ଚ ହେଉଛି କିନ୍ତୁ ପର୍ଯ୍ୟଟକ ଏବଂ ସ୍ଥାନୀୟ ଲୋକଙ୍କର ପିଇବା ପାଣିର ସମସ୍ୟା ସମାଧାନ କରିପାରୁ ନାହିଁ ପ୍ରଶାସନ । ଯେଉଁଠାରେ ସ୍ଥାନୀୟ ଲୋକ ଏବଂ ପର୍ଯ୍ୟଟକ ନାହିଁ ନଥିବା ଅସୁବିଧାର ସାମ୍ନା କରିଆସୁଛନ୍ତି । ବ୍ୟସ୍ତ ବହୁଳ ଜୀବନରୁ ଟିକିଏ ସମୟ କାଢ଼ି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ବ୍ୟାକୁଳ ପର୍ଯ୍ୟଟକଙ୍କ ମନ । ରାଜ୍ୟ ତଥା ଦେଶର ପର୍ଯ୍ୟଟନ ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା ହରିଶଙ୍କରକୁ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହୁଛି । କିନ୍ତୁ ଏହି ପର୍ଯ୍ୟଟନ ସ୍ଥଳୀରେ ରହିଛି ବ୍ୟାପକ ସମସ୍ୟା । ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କୁ ମୌଳିକ ସୁବିଧା ଦେବାକୁ ସକ୍ଷମ ହୋଇପାରୁନି ପର୍ଯ୍ୟଟନ ବିଭାଗ । ଯାହାଫଳରେ ଥରେ ଏଠାକୁ ଆସୁଥିବା ପର୍ଯ୍ୟଟକ ପୁନର୍ବାର ଆସିବାକୁ ଇଚ୍ଛା କରୁନାହାନ୍ତି । ସ୍ଥାନୀୟ ଲୋକ ଏବଂ ପର୍ଯ୍ୟଟକଙ୍କ ପାଇଁ ଏଠାରେ ନ୍ୟୁନତମ ପାନୀୟ ଜଳର ବ୍ୟବସ୍ଥା ନାହିଁ । ଏଠାକୁ ଆସୁଥିବା ପର୍ଯ୍ୟଟକ ପାନୀୟଜଳ ପାଇଁ ଡହଳ ବିକଳ ହେଉଛନ୍ତି ଏବଂ ବାଧ୍ୟ ହୋଇ ପାଣି କିଣୁଥିବା ଦେଖାଯାଉଛି । ଏଠାରେ ରହୁଥିବା ଦୋକାନୀ ମାନଙ୍କ ପରିବାର ଲୋକ ଟଙ୍କା ଚାନ୍ଦା କରି ଗୋଟିଏ ନଳକୂପକୁ ସଜାଡି ସେଥିରୁ ପାଣି ବ୍ୟବହାର କରୁଛନ୍ତି କିନ୍ତୁ ତାହା ମଧ୍ୟ ନିଅଣ୍ଟ ହେଉଥିବା ସ୍ଥାନୀୟ ମହିଳାମାନେ ଅଭିଯୋଗ କରିଛନ୍ତି । ଆଗକୁ ବୈଶାଖ ଚତୁର୍ଦ୍ଦଶୀ ଯାତ୍ରା ଥିବାବେଳେ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ତହସିଲଦାର ଏବଂ ବିଡ଼ିଓ ବାରମ୍ବାର ହରିଶଙ୍କର ଗସ୍ତ କରୁଛନ୍ତି କିନ୍ତୁ ଆଜି ପର୍ଯ୍ୟନ୍ତ ପାଣିର ସମସ୍ୟାକୁ ଅଣଦେଖା କରିଥିବା ଲୋକେ ଅଭିଯୋଗ କରିଛନ୍ତି । ତେବେ ବାର୍ଷିକ ପର୍ଯ୍ୟଟନ ବିଭାଗ ପର୍ଯ୍ୟଟକଙ୍କଠାରୁ ଲକ୍ଷାଧିକ ଟଙ୍କା ରାଜସ୍ୱ ଆଦାୟ କରୁଥିଲେ ମଧ୍ୟ କାହିଁକି ପର୍ଯ୍ୟଟକଙ୍କ ପାଇଁ ମୌଳିକ ସୁବିଧା ଯୋଗାଇ ଦେଉନି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗୋଟିଏ ପଟେ ରାଜ୍ୟ ସରକାର ରାଜ୍ୟର ପର୍ଯ୍ୟଟନ ଶିଳ୍ପକୁ ପ୍ରଚାର ପ୍ରସାର କରି ବିଦେଶୀ ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି । କିନ୍ତୁ ଅନ୍ୟପଟେ ପର୍ଯ୍ୟଟନ ସ୍ଥଳୀମାନଙ୍କରେ ପର୍ଯ୍ୟଟକଙ୍କ ପାଇଁ ମୌଳିକ ସୁବିଧା ନାହିଁ । ଯାହା ପର୍ଯ୍ୟଟନ ବିଭାଗ ଏବଂ ସରକାରଙ୍କ ଦୋମୁଁହା ନୀତିକୁ ପଦାରେ ପକାଇଛି । ପିଇବା ପାଣିର ସମସ୍ୟା କେତେ ଶୀଘ୍ର ପ୍ରଶାସନ ସମାଧାନ କରିବ ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.