କପିଲାଭଟାରେ ଆସୁନି ୫-ଜି ନେଟୱର୍କ : ଗ୍ରାହକ ହଇରାଣ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗାଁରେ ଆସୁନି ୫-ଜି ନେଟୱର୍କ । ନେଟୱର୍କ ଆସୁନଥିବାରୁ ଗ୍ରାହକମାନେ ହଇରାଣ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । କପିଲାଭଟା ପଞ୍ଚାୟତ ହେଡ କ୍ୱାର୍ଟର ହୋଇଥିବା ବେଳେ ୫-ଜି ନେଟୱର୍କ ଆସୁନଥିବାରୁ ବିଭିନ୍ନ ସମୟରେ ଗ୍ରହକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ତ୍ତମାନ ରାଜ୍ୟ ଓ କେନ୍ଦ୍ର ସରକାର ଡିଜିଟାଲ ଇଣ୍ଡିଆ କରିବା ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ହେଲେ ପ୍ରକୃତରେ ଗ୍ରାମାଞ୍ଚଳରେ ତାହାର ବ୍ୟତିକ୍ରମ ହେଉଥିବା ଦେଖିବାକୁ ମିଳିଛି । ଏବେ ସବୁ କାର୍ଯ୍ୟରେ ଇଣ୍ଟରନେଟର କାମ ପଡୁଥିବା ବେଳେ ୫-ଜି ନେଟୱାର୍କ ରହୁନଥିବାରୁ ବିଭିନ୍ନ ସରକାରୀ କାର୍ଯ୍ୟରେ ବାଧାପ୍ରାପ୍ତ ହେଉଥିବା ଦେଖିବାକୁ ମିଳିଛି । ଯେଉଁ କାମ ୫ ମିନିଟରେ ହେବା କଥା ତାହା ଘଣ୍ଟା ଘଣ୍ଟା ସମୟ ଲାଗୁଥିବା ଦେଖିବାକୁ ମିଳିଛି । ବିଭିନ୍ନ ସମୟରେ ପ୍ରଶାସନିକ ଅଧିକାରୀ ଓ ଜନ ପ୍ରତିନିଧିଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କେହି ଧ୍ୟାନ ଦେଉନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ସ୍ୱାଧୀନତାର ଅନେକ ବର୍ଷ ପରେ ମଧ୍ୟ ନେଟୱର୍କ ଠିକ ଭାବେ ଆସୁନଥିବାରୁ ବିଭିନ୍ନ ଅନଲାଇନ କାମ ହୋଇ ପାରିନାହିଁ । କପିଲାଭଟା ଗାଁରେ ଜିଓ କିମ୍ବା ଏୟାରଟେଲ କମ୍ପାନୀ ପକ୍ଷରୁ ୫-ଜି ନେଟୱାର୍କ ଉପଲବ୍ଧ କରିବା ପାଇଁ ମା’ ସାହାଜି ଯୁବକ ସଂଘର ସମ୍ପାଦକ ହୁଲେଶ୍ୱର ହଂସଙ୍କ ସହ ଗ୍ରାମବାସୀ ଦାବି କରିଛନ୍ତି । ଆଗାମୀ ଦିନରେ କୌଣସି ପଦକ୍ଷେପ ନ ନେଲେ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.