ବାସୁଦେବପୁର : ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବ୍ରହ୍ମହଣିଗାଁ ପଞ୍ଚାୟତ ଚାନ୍ଦିଆ ଗାଁରେ ଅଘଟଣ । ଷଣ୍ଢ ଆକ୍ରମଣରେ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଅ ସମେତ କେତେକ ଗ୍ରାମବାସୀ ଆହତ ହୋଇଛନ୍ତି । ମୃତକ ହେଲେ ନେପାଳୀ ଜେନା (୫୫ବର୍ଷ) ବୋଲି ଜଣାପଡିଛି । ସୂଚନା ମୁତାବକ, ଶୁକ୍ରବାର ଭୋର ସମୟରେ ନେପାଳୀଙ୍କ ଘର ଆଗରେ ଷେଣ୍ଢଟି ଶୋଇଥିଲା । ନେପାଳୀ ଉକ୍ତ ଷେଣ୍ଢକୁ ଘୋଉଡ଼ାଇବାକୁ ଚେଷ୍ଟା କରିଥିଲେ । ହେଲେ ଷଣ୍ଢଟି ନେପାଳୀଙ୍କୁ ମାରିବାକୁ ଦୌଡ଼ି ଆସି ଆକ୍ରମଣ କରିଥିଲା । ନେପାଳୀ ଷଣ୍ଢ ଆକ୍ରମଣରୁ ବର୍ତ୍ତିପାରିନଥିଲେ । ତାଙ୍କୁ ୨ରୁ ୩ ଥର ଉଠାଇ ପିଚୁ ରାସ୍ତାରେ କଚାଡି ଦେବାରୁ ସେ ସଂଜ୍ଞାହୀନ ହୋଇ ଯାଇଥିଲେ । ଷଣ୍ଢ ଆକ୍ରମଣ କରିଥିବା ଦେଖି ପୁଅ ମାନସ ସମେତ କେତେକ ଗ୍ରାମବାସୀ ଆସି ଷଣ୍ଢକୁ ଅଟକାଇବାକୁ ଚେଷ୍ଟା କରିଥିଲେ । ହେଲେ ଷଣ୍ଢ ଘଟଣାସ୍ଥଳରେ ଗ୍ରାମବାସୀଙ୍କୁ ଆକ୍ରମଣ କରି ଖସି ପଳାଇଥିଲା । ପରେ ଗ୍ରାମବାସୀ ନେପାଳୀଙ୍କୁ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନା ନେଇ ଆସିଥିଲେ । ହେଲେ ଡାକ୍ତର ନେପାଳୀଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ଆହତମାନେ ଚିକିତ୍ସିତ ହୋଇ ଘରକୁ ଫେରିଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ଉକ୍ତ ମାରଣା ଷଣ୍ଢକୁ ଗ୍ରାମବାସୀମାନେ କାବୁ କରିଥିବା ଜଣାଯାଇଛି ।
