centurian jitm

ପାରିବାରିକ କଳହରୁ କାକା ଓ ଦୁଇ ପୁତୁରା ମଧ୍ୟରେ କଟୁରୀରେ ହଣାହଣି : ୩ ଗୁରୁତର

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଗଁରେଇ ଗ୍ରାମରେ ପୂର୍ବ ଶତ୍ରୁତା ଓ ପାରିବାରିକ କଳହକୁ ନେଇ ଜଣେ ସମ୍ପର୍କୀୟ କାକା ଓ ତାଙ୍କ ଦୁଇ ପୁତୁରା ମଧ୍ୟରେ ଧାରୁଆ କଟୁରୀରେ ହଣାହଣି ହେବାରୁ ତିନିଜଣ ଗୁରୁତରଙ୍କୁ ରାୟପୁର ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ଗଁରେଇ ଗ୍ରାମର ପ୍ରଭୁଲାଲ ନାଗ(୮୦)ଥାନାରେ ଦେଇଥିବା ଏତଲା ମୁତାବକ ତାଙ୍କ ପୁଅ ନରସିଂହ ନାଗ(୩୭)ଙ୍କୁ ସମ୍ପର୍କୀୟ ପୁତୁରା ନୂଆଁଖାଉ ନାଗ, ଇନ୍ଦ୍ର ନାଗ, ଲାଏବାନ ନାଗ, ଚେର ନାଗ ଓ କର୍ପୁର ନାଗ ଶୁକ୍ରବାର ସନ୍ଧ୍ୟାରେ ପୂର୍ବ ଶତ୍ରୁତା ଓ ପାରିବାରିକ କଳହକୁ ନେଇ ଧାରୁଆ କଟୁରୀରେ ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ତାଙ୍କର ହାତ କଟିଯାଇଥିବା ବେଳେ ଅନ୍ୟାନ୍ୟ ସ୍ଥାନରେ ଗୁରୁତର ଆଘାତ ଲାଗିଥିଲା । ଗୁରୁତର ନରସିଂହଙ୍କୁ ପ୍ରଥମେ ମୁରିବାହାଲ ପରେ ବଲାଙ୍ଗିର ଓ ଶେଷ ଖବର ସୁଦ୍ଧା ରାୟପୁର ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ସେହିପରି ଦୁଇ ପୁତୁରା ନୁଆଁଖାଉ ଓ ଇନ୍ଦ୍ର ସନ୍ଧ୍ୟାରେ କଥା ହେଉଥିବା ବେଳେ ହଠାତ୍ ସମ୍ପର୍କୀୟ କାକା ନରସିଂହ ଉଭୟଙ୍କୁ କଟୁରୀରେ ଅତର୍କିତ ଆକ୍ରମଣ କରିଥିଲା । ଉଭୟ ଗୁରୁତର ପୁତୁରା ସେହି କଟୁରୀରେ ହିଁ ନରସିଂହଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଗୁରୁତର ଆହତଙ୍କୁ ଉଦ୍ଧାର କରି ପୁଲିସ ମେଡିକାଲରେ ଭର୍ତ୍ତି କରିଥିଲା । ଗୁରୁତର ଦୁଇ ପୁତୁରା ଏବେ ରାୟପୁର ମେଡିକାଲରେ ଚିକିତ୍ସିତ ହେଉଥିବାରୁ ଖବର ଲେଖାସୁଦ୍ଧା ଥାନାରେ ଏତଲା ଦେଇନାହାଁନ୍ତି । ଅନ୍ୟପକ୍ଷରେ ପ୍ରଭୁଲାଲଙ୍କ ଏତଲା ଆଧାରରେ ପୁଲିସ କେସ ନଂ ୭୩/୨୫ରୁଜ୍ଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ଥାନା ଆଇଆଇସି ସିପୋରା ସରାୟ ଲୁଗୁନ୍ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.