ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଗୁରୁଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଗୁରୁଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାର ସମସ୍ତ ବ୍ଲକର ପ୍ରତିନିଧି ମାନଙ୍କର ଉପସ୍ଥିତିରେ ସମ୍ପାଦକ ହରେକୃଷ୍ଣ ରଥ ଓ ସହ ସମ୍ପାଦିକା ଅନୁପମା ପ୍ରହରାଜଙ୍କ ଆବାହନ କ୍ରମେ ସଭାନେତ୍ରୀ ଶାନ୍ତିଲତା ସାହୁଙ୍କ ଅଧ୍ୟକ୍ଷତାରେ ଏକ ଶୈକ୍ଷିକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ପୁଇଁତଲା ବିଇଓ ଲୋକନାଥ ସୁନା ଓ ଦେଓଗାଁ ବିଇଓ ଗୋବର୍ଦ୍ଧନ ଭୋଇ ଅତିଥି ଭାବେ ଯୋଗଦେଇ ପ୍ରାଥମିକ ଶିକ୍ଷାର ବିକାଶ ନିମନ୍ତେ ଶିକ୍ଷା ଏକ ବ୍ରତ ଭାବି ଶୃଙ୍ଖଳା ଓ ଆଗ୍ରହର ସହ କାର୍ଯ୍ୟ କରିବାକୁ ଜିଲ୍ଲା ଶିକ୍ଷକ ସମାଜକୁ ବାର୍ତ୍ତା ଦେଇଥିଲେ । ପ୍ରଶାନ୍ତ ପୁରୋହିତ, ଇନ୍ଦୁଭୂଷଣ ଡାଙ୍ଗ, ଗିରିଷ ପଣ୍ଡା ଓ ବଂଶୀଧର ସା’ଙ୍କୁ ତାଙ୍କର ସଫଳ ଶିକ୍ଷକ ଜୀବନର ଅନୁଭୂତି ବର୍ଣ୍ଣନା କରିବାର ସୁଗୋଗ ମିଳିଥିଲା । ବଂଶୀଧର ସା ଓ ଗିରିଷ ପଣ୍ଡାଙ୍କୁ ସୁଶିକ୍ଷକ ଭାବେ ସମ୍ମାନିତ କରାଯାଇଥିଲା । ମହାମାରୀ ପରେ ବିପର୍ଯ୍ୟସ୍ଥ ଶିକ୍ଷା ବ୍ୟବସ୍ଥାକୁ ସଜାଡ଼ିବା ପାଇଁ ଶିକ୍ଷକ ମାନେ ସଂକଳ୍ପ କରିଥିଲେ । ମଧୁ ସୁଦନ ନାୟକ ନୂତନ ଶିକ୍ଷା ନୀତି ଉପରେ ଅଲୋକପାତ କରିବା ସହ ସର୍ବପଲ୍ଲୀ ରାଧାକ୍ରିଷ୍ଣାନଙ୍କ ଜୀବନୀ ଉପରେ ବର୍ଣ୍ଣନା କରିଥିଲେ । ଗୋବର୍ଦ୍ଧନ ଭୋଇ ରାଧାକୃଷ୍ଣନଙ୍କ ଜୀବନୀ ତଥା ଜଣେ ସୁଶିକ୍ଷକ ହେବାର ସମସ୍ତ ସମ୍ବାଦ ଶିକ୍ଷକ ସମାଜକୁ କହି ଅନୁପ୍ରାଣିତ କରିଥିଲେ । ପୁଇଁତଲା ବିଇଓ ଲୋକନାଥ ସୁନା, ଶିକ୍ଷକ ମାନଙ୍କୁ ଶିକ୍ଷାଦାନର ମହନୀୟତା ଉପରେ ବହୁ ମୂଲ୍ୟବାନ ପ୍ରସଙ୍ଗ ଉପସ୍ଥାପନ କରିଥିଲେ । ଶେଷରେ ସଭାନେତ୍ରୀ ଶାନ୍ତିଲତା ସାହୁ ଉପସ୍ଥିତ ସଦସ୍ୟମାନଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।

Leave A Reply

Your email address will not be published.

error: Content is protected !!