ଛତ୍ରପୁର ୟୁରୋ ସ୍କୁଲରେ ନିଆରା ଢ଼ଙ୍ଗରେ ପାଳିତ ହେଲା ଗୁରୁ ଶିଷ୍ୟର ମହାନ ପରମ୍ପରା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତର ଦ୍ୱିତୀୟ ରାଷ୍ଟ୍ରପତି ରାଷ୍ଟ୍ରଗୁରୁ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିବସ ସେପ୍ଟେମ୍ବର ୫ ତାରିଖକୁ ପବିତ୍ର ଗୁରୁଦିବସ ଭାବେ ସର୍ବଭାରତୀୟସ୍ତରରେ ସମସ୍ତ ଶିକ୍ଷାନୁଷ୍ଠାନମାନଙ୍କରେ ପାଳିତ ହୋଇଥାଏ । ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରି ଆଲୋକର ପଥ ଦେଖାଉଥିବା ଗୁରୁଙ୍କ ପାଇଁ ଉକ୍ତ ଦିନଟି ବେଶ୍‌ ସ୍ମରଣୀୟ ଅଟେ । ସେଥିପାଇଁ କଥାରେ ଅଛି, ଗୁରୁ ବିନା ବିଦ୍ୟା ଓ ଜ୍ଞାନ ଅସମ୍ଭବ । ଖାଲି ପାଠପଢା କ୍ଷେତ୍ରରେ ନୁହେଁ -ସଙ୍ଗୀତ, ନୃତ୍ୟକଳା, ବାଦ୍ୟଯନ୍ତ୍ର, ଚିତ୍ରକଳା, ଖେଳକୁଦ, ବଗିଚା କର୍ମ ଆଦିଠାରୁ ଆରମ୍ଭ କରି ସମସ୍ତ କ୍ଷେତ୍ରରେ ଆଗକୁ ବଢିବା ନିମନ୍ତେ ଗୁରୁଙ୍କର ଆବଶ୍ୟକତା ହୋଇଥାଏ । ଏହି କାରଣରୁ ସମାଜ ସବୁବେଳେ ଗୁରୁଙ୍କ ନିକଟରେ ଋଣୀ । ଶିଷ୍ୟର ଚରିତ୍ର ଗଠନ କରିବାରେ ହେଉ କିମ୍ବା ଶିଷ୍ୟକୁ ଭଲ ମଣିଷ ଭାବେ ଗଢି ତୋଳିବାରେ ଗୁରୁଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରତିପାଦନ କରାଯାଇଛି । ଛତ୍ରପୁର ଜେଲ ରୋଡଠାରେ ଅବସ୍ଥାପିତ ୟୁରୋ ସ୍କୁଲରେ ଆୟୋଜିତ ପବିତ୍ର ଗୁରୁଦିବସ ଅବସରରେ ସାରସ୍ୱତ ସାମାରୋହରେ ମତପ୍ରକାଶ ପାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରିନ୍ସିପାଲ ପ୍ରମୋଦ କୁମାର ମିଶ୍ର ସମ୍ମିଳିତ ଛାତ୍ରଛାତ୍ରୀମାନଙ୍କୁ ଗୁରୁଦିବସର ମହତ୍ତ୍ୱ ସହ ଗୁରୁ ଶିଷ୍ୟର ପରମ୍ପରା ସମ୍ପର୍କରେ ଆଲୋକପାତ କରିଥିଲେ । ଚଳିତ ବର୍ଷ ସ୍କୁଲ ପକ୍ଷରୁ ନିଆରା ଢଙ୍ଗରେ ଗୁରୁ ଶିଷ୍ୟର ପରମ୍ପରାକୁ ପାଳନ କରାଯାଇଛି । ଛାତ୍ରଛାତ୍ରୀ ମାନେ ପ୍ରଥମେ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଚନ୍ଦନ, ସିନ୍ଦୁର ଲଗାଇ ସେମାନଙ୍କ ଉଦ୍ଦେଶ୍ୟରେ ବନ୍ଦନା ଗାଇବା ସହିତ ମିଷ୍ଟାନ୍ନ ଖୁଆଇ ଗୁରୁମାନଙ୍କୁ ପୂଜାର୍ଚ୍ଚନା କରିଥିଲେ । ଏହି ଅବସରରେ ସ୍କୁଲ ପରିସରରେ ଗୁରୁ ଶିଷ୍ୟର ପରମ୍ପରାକୁ ଅଧିକ ଆକର୍ଷଣ କରିବା ପାଇଁ କେକ କଟାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍କୁଲର ମୁଖ୍ୟ ପୃଷ୍ଠପୋଷକ ସସ୍ମିତା ମହାପାତ୍ର ଓ ଅନ୍ୟାନ୍ୟ ଶିକ୍ଷକ/ ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ରାଷ୍ଟ୍ରଗୁରୁ ଡ଼ଃ. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଗୁଣଗାନ କରିବା ସହିତ ଗୁରୁଦିବସ ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ପରେ ପିଲାମାନଙ୍କ ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କୃତି ଛାତ୍ରଛାତ୍ରୀ ମାନଙ୍କୁ ସ୍କୁଲ ପକ୍ଷରୁ ପୁରଷ୍କାର ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.

error: Content is protected !!