କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଜୁଏଲ ଓରାମ

  • ସମଗ୍ର ଦେଶରେ ଆଦିବାସୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ମନ୍ତ୍ରଣାଳୟ ସମସ୍ତ ପଦକ୍ଷେପ ଗ୍ରହଣ କରିବ : ଜୁଏଲ ଓରାମ

ନୂଆଦିଲ୍ଲୀ, (ପିଆଇବି) : ଜୁଏଲ ଓରାମ ଆଜି ନୂଆଦିଲ୍ଲୀରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ ମନ୍ତ୍ରୀଙ୍କୁ ଆଦିବାସୀ ବ୍ୟାପାର ସଚିବ ବିଭୁ ନାୟାର ଏବଂ ମନ୍ତ୍ରଣାଳୟର ଅନ୍ୟ ବରିଷ୍ଠ ଅଧିକାରୀମାନେ ସ୍ୱାଗତ କରିଥିଲେ । ମନ୍ତ୍ରଣାଳୟର ଦାୟିତ୍ୱ ନେବା ପରେ ଜୁଏଲ ଓରାମ ତାଙ୍କ ଉପରେ ଆସ୍ଥା ପ୍ରକଟ କରିବା ଏବଂ ଆଦିବାସୀ ସମ୍ପ୍ରଦାୟର ଉନ୍ନତି ପାଇଁ କାର୍ଯ୍ୟ କରିବାର ସୁଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜଣାଇଥିଲେ । ଗଣମାଧ୍ୟମକୁ ସମ୍ବୋଧିତ କରି ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଗତ ୧୦ ବର୍ଷ ମଧ୍ୟରେ ମନ୍ତ୍ରଣାଳୟ ସମଗ୍ର ଦେଶରେ ଆଦିବାସୀମାନଙ୍କର ସର୍ବାଙ୍ଗୀନ ବିକାଶ ସୁନିଶ୍ଚିତ କରିବା ପାଇଁ ଯଥେଷ୍ଟ କାର୍ଯ୍ୟ କରିଛି । ଭବିଷ୍ୟତରେ ଆଦିବାସୀଙ୍କ ସମସ୍ତ ପ୍ରକାର ବିକାଶ ପାଇଁ ସେ ପ୍ରତିଶ୍ରୁତି ଦେଇଛନ୍ତି । ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ଓରାମ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ଏକ ବୈଠକରେ ଅଧ୍ୟକ୍ଷତା କରି କାର୍ଯ୍ୟରତ ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନାର ଅଗ୍ରଗତି ସମୀକ୍ଷା କରିଥିଲେ । ସମଗ୍ର ଦେଶରେ ଆଦିବାସୀଙ୍କ ସର୍ବାଙ୍ଗୀନ ବିକାଶ ଦିଗରେ ସମସ୍ତ ପଦକ୍ଷେପ ଗ୍ରହଣ କରିବାକୁ ମନ୍ତ୍ରୀ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜୁଏଲ ଓରାମ ୧୯୯୮ ମସିହାରୁ ସୁନ୍ଦରଗଡ଼ ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରି ୧୨ଶ, ୧୩ଶ, ୧୪ଶ, ୧୬ଶ ଓ ୧୭ଶ ଲୋକସଭାର ସଦସ୍ୟ ଥିଲେ । ୧୯୯୯ ମସିହା ଅକ୍ଟୋବର ୧୩ ତାରିଖରେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏହି ମନ୍ତ୍ରଣାଳୟ ଗଠନ କରିବା ପରେ ଶ୍ରୀ ଓରାମ ପ୍ରଥମ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ ।

Leave A Reply

Your email address will not be published.