୪ର୍ଥ ପର୍ଯ୍ୟାୟ ସାଧାରଣ ନିର୍ବାଚନ ନିମନ୍ତେ ମେ – ୧୩ରେ ଭୋଟ୍‌ ଗ୍ରହଣ

  • ଗଞ୍ଜାମ ଜିଲ୍ଲାର ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି ଓ ଚିକିଟି ଆସନ ନିମନ୍ତେ ୧୧ ଲକ୍ଷ ୨୭ ହଜାର ୯୧୩ ଜଣ ଭୋଟର୍‌ ନିଜ ନିଜର ମତଦାନ ସାବ୍ୟସ୍ତ କରିବେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତ ସରକାରଙ୍କ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶରେ ସଂଗଠିତ ହେଉଥିବା ୪ର୍ଥ ପର୍ଯ୍ୟାୟ ସାଧାରଣ ନିର୍ବାଚନ ନିମନ୍ତେ ଗଞ୍ଜାମ ଜିଲ୍ଲାର ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି ଓ ଚିକିଟି ନିର୍ବାଚନ ମଣ୍ଡଳୀରେ ବିଧାନସଭା ଓ ଲୋକସଭା ପ୍ରାର୍ଥୀ ନିମନ୍ତେ ଭୋଟ୍‌ ଗ୍ରହଣ ଅନୁଷ୍ଠିତ ହେଉଛି । ଉକ୍ତ ୫ଟି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଧାନସଭା ଓ ଲୋକସଭା ଆସନ ପ୍ରାର୍ଥୀ ନିମନ୍ତେ ହେଉଥିବା ଭୋଟ୍‌ ଗ୍ରହଣରେ ଜିଲ୍ଲାର ୧୧ ଲକ୍ଷ ୨୭ ହଜାର ୯୧୩ ଜଣ ଭୋଟର୍‌ ନିଜ ନିଜର ମତଦାନ ସାବ୍ୟସ୍ତ କରିବେ । ଏଥି ନିମନ୍ତେ ଗଞ୍ଜାମ ଜିଲ୍ଲାପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ମେ-୧୩ ତାରିଖ ସୋମବାର ଦିନ ସକାଳ ୭ଟା ଠାରୁ ସନ୍ଧ୍ୟା ୬ଟା ମଧ୍ୟରେ କଡ଼ା ନିରାପତ୍ତା ମଧ୍ୟରେ ଭୋଟ୍‌ ଗ୍ରହଣ ଅନୁଷ୍ଠିତ ହେଉଛି । ସଂପ୍ରତି ଗଞ୍ଜାମ ଜିଲ୍ଲାର ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି ଓ ଚିକିଟି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସର୍ବମୋଟ୍‌ ଏକ ହଜାର ୧ ଶହ ୨୬ଟି ଭୋଟ୍‌ ଗ୍ରହଣ କେନ୍ଦ୍ରରେ ମତଦାନ ହେଉଛି । ଏଥିପାଇଁ ୧୧୨୬ଟି ବୁଥ୍‌ରେ ମତଦାନ ସମୟ ନିର୍ଘଣ୍ଟର ୯୦ ମିନଟ୍ ପୂର୍ବରୁ ପ୍ରିଜାଇଡିଂ- ଅଫିସର୍, ପୁଲିଙ୍ଗ ଅଫିସର୍ ମାନଙ୍କ ଉପସ୍ଥିତିରେ ରାଜନୈତିକ ଦଳୀୟ ପୋଲିଂ-ପ୍ରତିନିଧିଙ୍କ ଦ୍ଵାରା ଏକ ମୋକ୍ ପୋଲିଂ ହେବ । ତାହା ପରେ ସାବାଳକ ଭୋଟପ୍ରଥା ଅନୁଯାୟୀ ସର୍ବସାଧାରଣରେ ଭୋଟ୍‌ ଗ୍ରହଣ ଅଥବା ମତଦାନ ଅନୁଷ୍ଠିତ ହେଉଛି । ଗଣତାନ୍ତ୍ରିକ ପ୍ରକ୍ରିୟା ବିଧାନ ମତେ ସଂଗଠିତ ହେଉଥିବା ସାଧରଣ ନିର୍ବାଚନ -୨୦୨୪ରେ ଅବାଧ ଓ ନିରପେକ୍ଷ ମଧ୍ୟରେ ମତଦାନ ହେବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କର ବଳିଷ୍ଠ ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡିଛି । ଇତି ମଧ୍ୟରେ ବିଭିନ୍ନ ଭୋଟ୍‌ ଗ୍ରହଣ କେନ୍ଦ୍ର ଓ ଷ୍ଟ୍ରଙ୍ଗ ରୁମ୍‌ରେ ଆନ୍ତଃ-ରାଜ୍ୟ ତଥା ଜାମ୍ମୁ, କାଶ୍ମୀର, ଓ ଲଦାଖ ପ୍ରଦେଶର ଦକ୍ଷ ପୋଲିସ ବାହିନୀର ମୁତୟନ କରାଯାଇଥିବା ଦେଖିବାକୁ ମିଳିଛି । ୧୨୭ ଛତ୍ରପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କ୍ଷେତ୍ରରେ ୨୪୪ଟି ବୁଥ୍, ୧୩୨ ଗୋପାଳପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କ୍ଷେତ୍ରରେ ୨୧୩ଟି ବୁଥ୍, ୧୩୩ ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୭୨ଟି ବୁଥ୍,୧୩୪ ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୨୫୬ଟି ବୁଥ୍ ଓ ୧୩୫ ଚିକିଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କ୍ଷେତ୍ରରେ ୨୪୧ଟି ବୁଥ୍‌ରେ ଭୋଟ୍‌ ଗ୍ରହଣ ଅନୁଷ୍ଠିତ ହେବ । ସୋମବାର ବିଧାନସଭା ଓ ଲୋକସଭା ଆସନ ନିମନ୍ତେ ପ୍ରାର୍ଥୀ ଚୟନ ପାଇଁ ସଂପୃକ୍ତ କ୍ଷେତ୍ରରେ ମତଦାନ ଅନୁଷ୍ଠିତ ହେଉଥିବାରୁ ବିବିଧ କଟକଣାକୁ ଅଧିକ କଡାକଡି କରାଯାଇଥିବା ଜଣାଯାଇଛି । ଗଞ୍ଜାମ ପୋଲିସ ଜିଲ୍ଲା ପ୍ରଶାସନ ପକ୍ଷରୁ ଗଞ୍ଜାମ ଏସ୍‌ପିଙ୍କ ସମେତ ଦୁଇଜଣ ଅତିରିକ୍ତ ଏସ୍‌ପି, ୩ ଜଣ ଡିଏସ୍‌ପି, ୯ ଜଣ ଇନ୍ସପେକ୍ଟର୍‌, ୬୨ ଜଣ ପୋଲିସ ଅଧିକାରୀ, ୨୮୪ ଜଣ କନ୍‌ଷ୍ଟେବଲ୍, ୧୨୦ ଜଣ ଏଚ୍‌.ଜି. ୫୧ ଜଣ ଜି. ଆର୍. ପ୍ରମୁଖ ପୋଲିସ ସୁରକ୍ଷା କର୍ମୀ ନିୟୋଜିତ କରାଯାଇଥିବା ଗଞ୍ଜାମ ଏସ୍‌ପି ଜଗମୋହନ ମୀନା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.