ପ୍ରେମିକାକୁ ବିଷ ପିଆଇ ହତ୍ୟା : ମୁଖ୍ୟ ଅଭିଯୁକ୍ତ ପ୍ରେମିକ ଗିରଫ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ଥାନା ଅନ୍ତର୍ଗତ ବଁକିଲୋ ଗ୍ରାମର ଜଣେ ଯୁବତୀ(୨୨)କୁ ପୁରୁଣା ଡେଲାଙ୍ଗ ଗ୍ରାମର ଜଣେ ଯୁବକ ବିଷ ପିଆଇ ହତ୍ୟା କରିଥିବା ଅଭିଯୋଗରେ ଯୁବତୀର ବାପା ଡେଲାଙ୍ଗ ଥାନାରେ ଅଭିଯୋଗ କରିଥିଲେ । ସୂଚନା ଅନୁସାରେ ପୀଡ଼ିତା ଯୁବତୀ ଜଣକ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ବୁଧବାର ଅପରାହ୍ନରେ ମୃତ୍ୟବରଣ କରିଥିଲେ । ମୁଖ୍ୟ ଅଭିଯୁକ୍ତ ଘଟଣା ଦିନଠାରୁ ଫେରାର ଥିବା ବେଳେ ଡେଲାଙ୍ଗ ପୋଲିସ ଖୋର୍ଦ୍ଧା ବାଘମାରୀ ଥାନା ଅଞ୍ଚଳରୁ ମୁଖ୍ୟ ଅଭିଯୁକ୍ତକୁ ଗୁରୁବାର ଗିରଫ କରିଛି । ସେହିପରି ମୁଖ୍ୟ ଅଭିଯୁକ୍ତକୁ ଫେରାର କରିବାରେ ସହଯୋଗ କରିଥିବା ଅନ୍ୟତମ ଅଭିଯୁକ୍ତକୁ ମଧ୍ୟ ଡେଲାଙ୍ଗ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ପ୍ରେମ ଓ ପ୍ରତାରଣାରେ ଶିକାର ହୋଇଥିବା ପ୍ରେମିକାକୁ ବିଷ ପିଆଇ ହତ୍ୟା କରିଥିବା ଅଭିଯୋଗରେ ଡେଲାଙ୍ଗ ଥାନା ପୋଲିସ ମୁଖ୍ୟ ଅଭିଯୁକ୍ତ ପୁରୁଣା ଡେଲାଙ୍ଗ ଗ୍ରାମର ବିଶ୍ଵମ୍ବର ମହାପାତ୍ର (୨୬) ଓ ଏଥିରେ ସହଯୋଗ କରିଥିବା ତାର ବଡ଼ ଭାଇ ବିଶ୍ଵଭୁଷଣ ମହାପାତ୍ର (୨୮)କୁ ଗିରଫ କରିଛି । ଦୁଇ ଅଭିଯୁକ୍ତକୁ ଗୁରୁବାର ପିପିଲି କୋର୍ଟରେ ହାଜର କରାଯାଇଥିବା ଡେଲାଙ୍ଗ ଥାନା ଆଇଆଇସି ଅନିଲ କୁମାର ମହାନ୍ତି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.