ଗଳିତ ଦନ୍ତା ହାତୀର ଦାନ୍ତ ଜବତ ସହ ୩ ଗିରଫ

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅଧୀନ କାନବିନ୍ଧା ସଂରକ୍ଷିତ ଜଙ୍ଗଲ ଭିତରେ ଠାବ ହୋଇଥିବା ଗଳିତ ଦନ୍ତା ହାତୀର ଦାନ୍ତକୁ ଜବତ କରିଛି ବନ ବିଭାଗ । ଏଥିସହ ହାତୀକୁ ହତ୍ୟା କରି ତା’ଠାରୁ ଦାନ୍ତ କାଟି ନେବା ଭଳି ଜଘନ୍ୟ ମାମଲାରେ ବନ ବିଭାଗ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଏ ନେଇ ଉତ୍ତର ଘୁମୁସର ବନଖଣ୍ଡ ଡିଏଫ୍‌ଓ ସୁଦର୍ଶନ ବେହେରା ସୂଚନା ଦେଇଛନ୍ତି । ଅଭିଯୁକ୍ତମାନେ ଉକ୍ତ ଜଙ୍ଗଲ ନିକଟରେ ଥିବା ଦଦରଲୁଣ୍ଡା ପଞ୍ଚାୟତର ବେଲାଟୁନ୍‌ ରୁନା ଦିଗାଲ, ଦୀପକ ଦିଗାଲ ଏବଂ ଯୁବରାଜ ଦିଗାଲ ‌ବୋଲି ସେ ସୂଚନା ଦେଇଛନ୍ତି । ଏଥିରେ ଆହୁରି କିଛି ବ୍ୟକ୍ତିଙ୍କ ସଂପୃକ୍ତି ଥିବା ତଦନ୍ତରୁ ଜଣାପଡିଛି । କେସ୍‌ ନମ୍ବର ୧୫୦(ଏମ୍‌)ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ବେଳେ ଆଗାମୀ ଦିନରେ ସେମାନଙ୍କୁ ମଧ୍ୟ ଗିରଫ କରିବା ନେଇ ଚଢଉ ଜାରି ରହିବ ବୋଲି ସେ କହିଛନ୍ତି । ଅଭିଯୁକ୍ତମାନେ ଏକ କୁରାଢି ସାହାଯ୍ୟରେ ଦାନ୍ତଟିକୁ କାଟି ହାତୀଟିକୁ ମାରିଥିବା ସ୍ଥାନଠାରୁ କିଛି ଦୂରରେ ଜଙ୍ଗଲ ମଧ୍ୟରେ ହିଁ ଦାନ୍ତଟିକୁ ମାଟି ତଳେ ପୋତି ରଖିଥିଲେ । ଅଭିଯୁକ୍ତମାନଙ୍କୁ ଗିରଫ କରିବା ପରେ ସେମାନେ ଉକ୍ତ ସ୍ଥାନ ଦେଖାଇବା ପରେ ବିଭାଗୀୟ କର୍ମଚାରୀମାନେ ମାଟି ତଳୁ କଟା ଦାନ୍ତ ଉଦ୍ଧା‌ର କରିଥିବା ଶ୍ରୀ ବେହେରା ପ୍ରକାଶ କରିଛନ୍ତି । ଏଥିସହ ସେମାନଙ୍କ ନିକଟରୁ ଦାନ୍ତ କାଟିବାରେ ବ୍ୟବହୃତ କୁରାଢିକୁ ଜବତ କରାଯାଇଛି । ଏହି ଅଞ୍ଚଳରେ ସଦାସର୍ବଦା ହାତୀଙ୍କ ଚଳପ୍ରଚଳ ରହୁଥିବାରୁ ଆଗକୁ ହାତୀଙ୍କ ସୁରକ୍ଷା ପାଇଁ କଡାକଡି କରାଯିବ ବୋଲି ଡିଏଫଓ କହିଛନ୍ତି ।

Leave A Reply

Your email address will not be published.