ତିନି ଲକ୍ଷ ଟଙ୍କାର ତମ୍ବା ତାର, ମହିନ୍ଦ୍ରା ଗାଡି ସମେତ ତିନି ଜଣ ଗିରଫ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏକ ଡକାୟତି ଘଟଣାରେ ଲୋଇସିଂହା ପୋଲିସ ଆଜି ବଲାଙ୍ଗିରରୁ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଲୋଇସିଂହା କେସ ନଂ ୭୩ ତା ୨୧.୦୩.୨୧ ୟୁଏସ ୩୯୭ ଆଇପିସି ଆର୍ମ ଆକ୍ଟରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନଙ୍କ ପାଖରୁ ପ୍ରାୟ ତିନି ଲକ୍ଷ ଟଙ୍କାର ତମ୍ବା ତାର, ମହିନ୍ଦ୍ରା ସୁପ୍ରୋ ଗାଡି, ନଗଦ ତିନି ହଜାର ଟଙ୍କା ଓ ଘଟଣାରେ ବ୍ୟବହୃତ ମାରଣାସ୍ତ୍ର ଜବତ କରିଛି । ଗିରଫ ତିନି ଜଣ ବଲାଙ୍ଗିର ମାଲଗୁଦାମ ପଡାର ଶଙ୍କର କୁମ୍ଭାର(୨୪), ପ୍ୟାଲେସ ଲାଇନର ଧର୍ମେନ୍ଦ୍ର ସିଂ(୨୫) ଓ ଶୁଦ ପଡାର ରବି ନାରାୟଣ ସାହୁ(୩୫) ବୋଲି ପୋଲିସ ପକ୍ଷରୁ ସୂଚନା ରହିଛି ।

ସୂଚନାରୁ ପ୍ରକାଶ ଯେ, ଗତ ୨୦ମାର୍ଚ୍ଚ ରାତି ଅଢେଇଟା ସମୟରେ ୫ ରୁ ୬ଜଣ ଯୁବକ ବେନ୍ଦ୍ରା ସ୍ଥିତ ଏଲ୍‌ଏଣ୍ଡ୍‌ଟି ଗୋଦାମରେ ସଶସ୍ତ୍ର ଡକାୟତି କରି ପ୍ରାୟ ୧୧୦୦ ମିଟରର ତମ୍ବା ତାର ଲୁଟ କରିଥିଲେ । ଉପସ୍ଥିତ ସିକୁରିଟି ଗାଡ ବାରଣ କରିବାରୁ ସେମାନଙ୍କୁ ମାରଣାସ୍ତ୍ର ଦେଖାଇ ମାଡ ମାରିବା ସହ ତାଙ୍କ ଠାରୁ ମୋବାଇଲ ଫୋନ ଓ ତିନି ହଜାର ଟଙ୍କା ଲୁଟ କରିଥିଲେ । ପର ଦିନ ସକାଳୁ ପୋଲିସକୁ ଏ ସମ୍ବନ୍ଧରେ ରିପୋର୍ଟ ହୋଇଥିଲା । ଏହି ଘଟଣାରେ ଆଜି ଲୋଇସିଂହା ପୋଲିସ ବଲାଙ୍ଗିର ଖୁଜେନ ପାଲି ନାଳ ପାଖରେ ଚଢାଉ କରି ଘଟଣାରେ ବ୍ୟବହୃତ ମହିନ୍ଦ୍ରା ସୁପ୍ରୋ ଗାଡି (ଓଡି ୩୩ ଜି ୩୯୨୨), ଲୁଟ ହୋଇଥିବା ତମ୍ବା ତାର ଓ ମାରଣାସ୍ତ୍ର ଜବତ କରିବା ସହ ସହରର ବିଭିନ୍ନ ଅଂଚଳରୁ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Leave A Reply

Your email address will not be published.