ଆଉଟସୋର୍ସିଙ୍ଗ କର୍ମଚାରୀମାନଙ୍କ ଆର୍‌ଡିସି ଅଫିସ ଘେରାଉ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆଉଟସୋର୍ସିଙ୍ଗ କର୍ମଚାରୀମାନେ ଆର୍‌ଡିସି ଅଫିସ ଘେରାଉ କରିଛନ୍ତି । ଆସନ୍ତା ୩୧ ଜୁଲାଇରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବେ ବୋଲି କୁହାଯାଇଛି । ଆଉଟସୋର୍ସିଙ୍ଗ କର୍ମଚାରୀ ସଂଘର ଆହ୍ୱାନ କ୍ରମେ ଆରଡିସି ଅଫିସ ଘେରାଉ କରାଯାଇଥିଲା । ରାଜ୍ୟରେ ତିନୋଟି ଆର୍‌ଡିସି କାର୍ଯ୍ୟାଳୟ ରହିଛି । ଏହି ଅଧୀନରେ ଥିବା ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ପ୍ରତିବାଦ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯାଇଥିଲା । ଦକ୍ଷିଣାଞ୍ଚଳରେ ଥିବା ୮ଟି ଜିଲ୍ଲାର ବିଭିନ୍ନ ବିଭାଗର ଶତାନ୍ତ୍ରିକ ଆଉଟସୋର୍ସିଙ୍ଗ କର୍ମଚାରୀମାନେ ଅଂଶଗ୍ରହଣ କରି ଏକ ବିଶାଳ ରାଲିରେ ଯାଇ ଆର୍‌ଡିସି ଅଫିସରେ ପହଂଚି ବିକ୍ଷୋଭ କରିଥିଲେ । ରାଜ୍ୟ କର୍ମଚାରୀ ନେତା ପ୍ରତାପ ପ୍ରଧାନଙ୍କ ନେତୃତ୍ୱରେ ଆୟୋଜିତ ଏହି ବିକ୍ଷୋଭରେ ସମସ୍ତ ଆଉଟସୋର୍ସିଙ୍ଗ କର୍ମଚାରୀ ଯୋଗ ଦେଇଥିଲେ । ପୂର୍ବର ସମସ୍ତ ଦାବୀକୁ ନେଇ ପୁଣି ଆସନ୍ତା ୩୧ ଜୁଲାଇରେ ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ହୋଇଛି । ୧୦ ଦଫା ଦାବୀକୁ ନେଇ ମହାସଂଘ ପୂର୍ବରୁ ବହୁବାର ଆନ୍ଦୋଳନ କରି ଦାବୀ ଉପସ୍ଥାପନ କରିଥିଲେ ମଧ୍ୟ ସରକାର କେବଳ ପ୍ରତିଶୃତି ଦେଇ କର୍ମଚାରୀମାନଙ୍କୁ ଭଣ୍ଡାଇ ଚାଲିଛନ୍ତି ବୋଲି ସଂଘ ଅଭିଯୋଗ କରିଛି । ସୂଚନାଯୋଗ୍ୟ ଯେ, ରାଜ୍ୟରୁ ଠିକା ପ୍ରଥା ସମ୍ପୂର୍ଣ୍ଣ ଉଚ୍ଛେଦ ହେଲା ବୋଲି ସରକାର ଘୋଷଣା କରିଦେଲେ । କିନ୍ତୁ ଏଯାଏଁ କିଛି ହୋଇନାହିଁ ଏପଟେ ପ୍ରକୃତରେ ଅସ୍ଥାୟୀ ଠିକା ପ୍ରଥା ଅଧୀନରେ ଥିବା କର୍ମଚାରୀମାନଙ୍କ କଥା ସରକାର ପ୍ରାୟ ଭୁଲି ଯାଇଛନ୍ତି । ଏହାକୁ ନେଇ ରାଜ୍ୟରେ ଆଉଟସୋର୍ସିଙ୍ଗ କର୍ମଚାରୀମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି ।

Leave A Reply

Your email address will not be published.