jayashree

ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଘେରାଉ

  • ଛତ୍ରପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଅନିୟମିତତା ନେଇ ଶ୍ରମିକ ଅସନ୍ତୋଷ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଶ୍ରମ କାର୍ଡ ପ୍ରଦାନରେ ଅନିୟମିତତା ନେଇ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଛତ୍ରପୁରରେ ସୋମବାର ୫ଶହରୁ ଅଧିକ ଶ୍ରମଜୀବୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଶ୍ରମକାର୍ଡ ପ୍ରଦାନରେ ଅନିୟମିତତା, କିଛି ସକ୍ରିୟ ଦଲାଲଙ୍କ ଲାଗି ହଜାର ହଜାର ଲେବର କାର୍ଡ ନୂଆଁ ହୋଇପାରୁନାହିଁ କିମ୍ବା ପୁରୁଣା ଲେବର କାର୍ଡ ରି-ନ୍ୟୁ ହୋଇପାରୁନାହିଁ ବୋଲି ଓଡ଼ିଶା ହାଇଟେକ୍ କନଷ୍ଟ୍ରକସନ ୱାର୍କରସ ୟୁନିୟନର ରାଜ୍ୟସ୍ତରୀୟ ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ଦାଶ୍ ଏହାର ଦୃଢ଼ ବିରୋଧ କରିଛନ୍ତି । ଛତ୍ରପୁରର ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଏହି ଅବ୍ୟବସ୍ଥା ନେଇ ସେ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି । ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଏ ଦିଗରେ ବିହିତ ପ୍ରତିକାର ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି ।
ଏପରିକି ବର୍ଷ ବର୍ଷ ଧରି ପଡ଼ିରହିଥିବା ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ସରକାରୀ ସହାୟତା ଯଥା- ଶିକ୍ଷା ସହାୟତା, ବିବାହ, ମୃତ୍ୟୁ, ସ୍ତ୍ରୀମାନଙ୍କ ପ୍ରସ୍ତୁତିକାଳୀନ ସହାୟତା ଆଦି ଉଚିତ ସମୟରେ ପ୍ରଦତ୍ତ ହେବାରେ ଅହେତୁକ ବିଳମ୍ବ ଘଟୁଛି । ସ୍ୱୀକୃତପ୍ରାପ୍ତ ଶ୍ରମିକ ସବୁକ୍ଷେତ୍ରରେ ଅବହେଳିତ ଅବସ୍ଥାରେ ଜୀବନ ମାନସିକ ଯନ୍ତ୍ରଣା ଭୋଗ କରିବା ସାଂଗକୁ ସହାୟତା ପାଇବାରେ ଅନେକ ପ୍ରତିବନ୍ଧକର ସାମ୍ନା କରୁଛି । ସୋମବାର ଶ୍ରମ ଅଧିକାରୀଙ୍କ ସହ ଆଲୋଚନାରେ ନିର୍ଭର ପ୍ରତିଶ୍ରୁତି ମିଳିବା ପରେ ହଟ୍ଟ-ଗୋଳ ବନ୍ଦ ହୋଇଛି । ଠିକ୍‌ ସମୟରେ ଲେବର କାର୍ଡ ସମସ୍ୟା ସମାଧାନ ନ ହେଲେ ଆଗାମୀ ଦିନରେ ରାଜରାସ୍ତା ଓହ୍ଲାଇବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦିଆଯାଇଛି । ଏହି ବିକ୍ଷୋଭ ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀମତୀ ଦ୍ରୌପଦୀ ଦାଶ୍, ଶ୍ରୀମତୀ ମିନତୀ ପାତ୍ର, ମିନତୀ ସ୍ୱାଇଁ, ଡମ୍ବରୁ ବାରିକ ପ୍ରମୁଖ ବହୁ ଶ୍ରମିକ ନେତାଙ୍କ ନେତ୍ତୃତ୍ୱରେ ପ୍ରତିକ ଆନ୍ଦୋଳନ କରାଯାଇଥିଲା । ପ୍ରଶାସନ ଉଚିତ ପଦକ୍ଷେପ ନିଅନ୍ତୁ ବୋଲି ମତ ପ୍ରକାଶ ପାଇଛି ।

Leave A Reply

Your email address will not be published.