ଗଞ୍ଜାମ ଜିଲ୍ଲାରେ ଜାଳେଣି ଗ୍ୟାସର କଳାବଜାରୀ ରୋକିବା ପାଇଁ ୪ଟି ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ଗଠନ କରାଯାଇଛି : ଜିଲ୍ଲାପାଳ
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାସ୍ତରୀୟ ଜାଳେଣୀ ସଙ୍କଟ ପରିଚାଳନା ସଂଘର ପ୍ରଥମ ବୈଠକ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାର ସମସ୍ତ ତୈଳ କମ୍ପାନୀ, ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ । ଜିଲ୍ଲାରେ ଘରୋଇ ବ୍ୟବହାର ନିମନ୍ତେ ଗ୍ୟାସ୍ ସିଲିଣ୍ଡର ପୂର୍ବପରି ଯୋଗାଣ ହୋଇପାରୁଛି, କିନ୍ତୁ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ଯୋଗାଣ ପୂର୍ବାପେକ୍ଷା ସାମାନ୍ୟ କମ୍ ଅଛି । ବର୍ତ୍ତମାନ ଜିଲ୍ଲାରେ ମୋଟ୍ ୧୦୮ଗୋଟି ଗ୍ୟାସ୍ ସିଲିଣ୍ଡର ଜବତ କରାଯାଇଛି । ୧୬ ଗୋଟି କେସ୍ ଜିଲ୍ଲାପାଳଙ୍କ କୋର୍ଟରେ ରେଜିଷ୍ଟର ହୋଇଥିବା ବେଳେ ଗୋଟିଏ କେସ୍ ପୋଲିସ୍ ଥାନାରେ ଏଫ୍.ଆଇ୍.ଆର୍ ଦରଜ କରାଯାଇଛି । ଜିଲ୍ଲାରେ ଗ୍ୟାସ୍ର କଳାବଜାରୀ ରୋକିବା ପାଇଁ ସମୁଦାୟ ୪ଗୋଟି ଉପଖଣ୍ଡ ସ୍ତରୀୟ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ଗଠନ କରାଯାଇଥିବା ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ରାଉଚରାୟ ପ୍ରକାଶ କରିଥିଲେ । ଜିଲ୍ଲାର ସମସ୍ତ ବ୍ଲକ୍ ସ୍ତରରେ ମଧ୍ୟ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ଗଠନ କରିବା ପାଇଁ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ୍ ପରାମର୍ଶ ଦେଇଥିଲେ । ସମସ୍ତ ସରକାରୀ ଅନୁଷ୍ଠାନ ଯଥା-ଅଙ୍ଗନୱାଡି କେନ୍ଦ୍ର, ବିଦ୍ୟାଳୟ, ସିଆର୍.ପି.ଏଫ୍ କ୍ୟାମ୍ପ ଆଦିକୁ ଗ୍ୟାସ୍ ଯୋଗାଣରେ ଯେପରି ବାଧା ସୃଷ୍ଟି ନହୁଏ, ସେଥିପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ର ଗୁଡିକୁ ଯୋଗାଇ ଦିଆଯାଇଥିବା ଗ୍ୟାସ୍ ସିଲିଣ୍ଡର ଗୁଡିକୁ ମଝିରେ ମଝିରେ ତନଖି କରିବା ପାଇଁ ଜିଲ୍ଲାପାଳ କହିଥିଲେ ।