ତୁଷୁରା ସମଲେଇ ମନ୍ଦିରରୁ ଆଶୀର୍ବାଦ ନେଇ ୫-ଟି ସଚିବ ଆରମ୍ଭ କଲେ ବଲାଙ୍ଗିର ଗସ୍ତ : ବିଶାଳ ଜନସମାବେଶରେ ଉଦ୍‌ବୋଧନ ଦେଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ତୁଷୁରାର ମା’ ସମଲେଇଙ୍କ ଆଶୀର୍ବାଦ ନେଇ ୫-ଟି ସଚିବ ଭି.କେ.ପାଣ୍ଡିଆନ୍‌ ଆରମ୍ଭ କରିଛନ୍ତି ବଲାଙ୍ଗିର ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ । ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ତୁଷୁରା ସ୍ଥିତ ସମଲେଶ୍ୱରୀଙ୍କ ମନ୍ଦିରରେ ଦର୍ଶନ ସାରି ସେଠାରେ ଆୟୋଜିତ ଏକ ବିଶାଳ ଜନସମାବେଶରେ ଉଦ୍‌ବୋଧନ ଦେଇଛନ୍ତି ୫-ଟି ସଚିବ । ଲୋକଙ୍କ ଠାରୁ ଯାହା ଦରଖାସ୍ତ ଆସିଛି, ଆସନ୍ତା ୭ ଦିନ ମଧ୍ୟରେ ତାହାର ସମାଧାନ ହେବ ଏବଂ ଏଥିପାଇଁ ସିଧାସଳଖ ସିଏମ୍‌ ଅଫିସ୍‌ରୁ ଦରଖାସ୍ତକାରୀଙ୍କୁ ଯୋଗାଯୋଗ କରାଯାଇ ଆପଣମାନଙ୍କୁ ଖୁସି ଖବର ଦିଆଯିବ ବୋଲି ଶ୍ରୀ ପାଣ୍ଡିଆନ୍‌ ଘୋଷଣା କରିଛନ୍ତି । ତୁଷୁରାର ମା’ ସମଲେଇଙ୍କ ମନ୍ଦିରର ଉନ୍ନତିକରଣ ପାଇଁ ଯଥାଶୀଘ୍ର ପଦକ୍ଷେପ ନିଆଯିବାକୁ ମଧ୍ୟ ସେ କହିଛନ୍ତି । ସେହିପରି ତୁଷୁରା ପିଏସ୍‌ସିକୁ ଆବଶ୍ୟକ ସଂଖ୍ୟକ ଡାକ୍ତର ପ୍ରଦାନ କରାଯାଇ ଏହାର ଅପ୍‌ଗ୍ରେଡେସନ୍‌ କରାଯିବାକୁ ମଧ୍ୟ ସେ କହିଛନ୍ତି । ମିଶନ୍‌ ଶକ୍ତି ମା’ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣରେ ସୁଧ ଛାଡ଼ କରିଥିବା ବେଳେ ଚାଷୀ ଭାଇଭଉଣୀଙ୍କ ପାଇଁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣରେ ସୁଧ ଛାଡ଼ କରିଥିବା ନିଜ ଉଦ୍‌ବୋଧନରେ ସ୍ପଷ୍ଟ କରିବା ସହ ଚଳିତ ବର୍ଷ ଚାଷୀମାନଙ୍କ ପାଇଁ କୃଷି ବୀମା ନିମନ୍ତେ କୌଣସି ଚାଷୀଙ୍କୁ ପ୍ରିମିଅମ୍‌ ଅର୍ଥ ଦେବାକୁ ପଡ଼ିବ ନାହିଁ ବୋଲି ୫-ଟି ସଚିବ ଶ୍ରୀ ପାଣ୍ଡିଆନ୍‌ ଘୋଷଣା କରିଛନ୍ତି ।

Leave A Reply

Your email address will not be published.