ବଲାଙ୍ଗିର, (କେପିଏନ୍ଏସ) : ଆଜି ଓଡ଼ିଶା ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ଶ୍ରୀମତୀ ମନ୍ଦାକିନୀ କର ବଲାଙ୍ଗିର ଜିଲ୍ଲା ଗସ୍ତରେ ଆସି ଯୋଗୀମୁଣ୍ଡା ହାଇସ୍କୁଲ, କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଖପ୍ରାଖୋଲ ଓ ବେହେରାମୁଣ୍ଡା ଋତୁକାଳୀନ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ପ୍ରଥମେ ଯୋଗୀମୁଣ୍ଡା ହାଇସ୍କୁଲ ପରିଦର୍ଶନ କରି ଶିକ୍ଷା ସହିତ ଶିଶୁମାନଙ୍କର ସୁରକ୍ଷା କଥାକୁ ଦୃଢ଼ତାର ସହିତ ରିଭ୍ୟୁ କରିଥିଲେ । ସ୍କୁଲରେ ଥିବା ଟଏଲେଟ ଗୁଡ଼ିକ ବ୍ୟବହାର ପାଇଁ ଅନୁପଯୋଗୀ ଥିବାରୁ ବିରକ୍ତି ପ୍ରକାଶ କରିଥିଲେ । ଡିସିପିଓ ଟିମ୍ଙ୍କୁ ଶିଶୁମାନଙ୍କ ସୁରକ୍ଷା ନିମନ୍ତେ ଶିକ୍ଷକ ଏବଂ ଶିଶୁମାନଙ୍କୁ ନେଇ ବିଭିନ୍ନ ତାଲିମ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବଲାଙ୍ଗିର ଡିଇଓଙ୍କୁ ଯୋଗୀମୁଣ୍ଡା ହାଇସ୍କୁଲରେ ଟଏଲେଟ୍ ଶୀଘ୍ର ତିଆରି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଖପ୍ରାଖୋଲ କେଜିବିଭି ସ୍କୁଲ ପରିଦର୍ଶନ ସମୟରେ ମଧ୍ୟ ଶିଶୁ ମାନେ ସୁରକ୍ଷିତ ରହୁଛନ୍ତି କି ନାହିଁ ରିଭ୍ୟୁ କରିଥିଲେ । ଶିଶୁମାନେ ସ୍କୁଲ୍ ଯାଇଥିବାରୁ ଶିକ୍ଷକମାନଙ୍କ ସହିତ ଆଲୋଚନା କରି ବିଭିନ୍ନ ରେଜିଷ୍ଟର ଦେଖିଥିଲେ । ସମସ୍ତ ପିଲାଙ୍କ ପାଇଁ ବେଡ଼ ନ ଥିବାରୁ ବିରକ୍ତି ପ୍ରକାଶ କରି ଡିଇଓଙ୍କୁ ସଙ୍ଗେ ସଙ୍ଗେ ବ୍ୟବସ୍ଥା କରିବା ପାଇଁ ଆଦେଶ ଦେଇଥିଲେ । ଅପରାହ୍ନରେ ଅଧ୍ୟକ୍ଷା ଶ୍ରୀମତୀ କର, ବେଲପଡ଼ା ବ୍ଲକ୍ର ବେହେରାମୁଣ୍ଡାରେ ପ୍ରବାସୀ ଶ୍ରମିକ ପରିବାରର ଶିଶୁଙ୍କ ପାଇଁ ଖୋଲାଯାଇଥିବା ଋତୁକାଳୀନ ଆବାସିକ ଶିକ୍ଷାକେନ୍ଦ୍ର ପରିଦର୍ଶନ କରିଥିଲେ । ବଲାଙ୍ଗିର ଜିଲ୍ଲାରେ ଏଭଳି ୧୫ଟି ହଷ୍ଟେଲ ବର୍ତ୍ତମାନ ସୁଦ୍ଧା ଖୋଲାଯାଇଛି । ସେଥିରେ ୭୦୦ ପାଖାପାଖି ଅଛନ୍ତି ବୋଲି ଦେଓ କହିଥିଲେ । ପିଲାମାନଙ୍କର ଖାଇବା, ପିଇବା ଉପଯୁକ୍ତ ଥିବାରୁ ପିଲାମାନେ ବହୁତ୍ ଖୁସି ଜଣାପଡୁଥିଲେ । ଡିସିପିଓ ଟିମ୍ଙ୍କୁ ଶିଶୁମାନଙ୍କର ସୁରକ୍ଷା ଉପରେ ତାଲିମ ପାଇଁ କହି ବିଭିନ୍ନ ପୋଷ୍ଟର ପ୍ରଦାନ କରିବା ପାଇଁ ଆଦେଶ ଦେଇଥିଲେ ।