om academy

ରାଜ ରାସ୍ତାରେ ଗର୍ଜିଲା ବଲାଙ୍ଗିର ଜିଲ୍ଲା ପୂର୍ବତନ ସୈନିକ ସଂଘ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ୱାନ୍‌ ରେଙ୍କ ୱାନ୍‌ ପେନ୍‌ସନ୍‌ ଦାବୀରେ ବଲାଙ୍ଗିର ଜିଲ୍ଲା ପୂର୍ବତନ ସୈନିକ ସଂଘ, ସହୀଦ ପରିବାର ଏବଂ ସୈନିକଙ୍କ ବିଧବା ପତ୍ନୀମାନେ ଆଜି ରାଜ ରାସ୍ତାରେ ତାଙ୍କର ମୌଳିକ ଦାବୀ ନେଇ ଗର୍ଜିଛନ୍ତି । ସ୍ଥାନୀୟ କୋଶଳ କଳା ମଣ୍ଡଳଠାରୁ ବିରାଟ ରାଲିରେ ବାହାରି ଭାଗିରଥୀ ଛକ, ପିପି ଏକାଡେମୀ ଛକ, ରମାଇ ଟକିଜ୍‌ ଛକ, ପାଟଣା ଛକ, ସରକାରୀ ବସ୍‌ଷ୍ଟାଣ୍ଡ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ତାଙ୍କର ମୁଖ୍ୟ ଦାବୀ ହେଲା ସମାନ ରେଙ୍କକୁ ସମାନ ପେନ୍‌ସନ୍‌, ଇସିଏଚ୍‌ଏସ୍‌ ଏବଂ ସିଏସ୍‌ଡି କ୍ୟାଣ୍ଟିନ୍‌ରେ ସମାନ ସୁବିଧା, ବିକଳାଙ୍ଗ, ସହୀଦ ପରିବାର ସ୍ୱେଚ୍ଛାକୃତ ଭାବେ ଅବସର ନେଇଥିବା ଜବାନ ସମସ୍ତଙ୍କ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଯେଉଁ ପାତର ଅନ୍ତର ନୀତି ଆପଣାଇଛନ୍ତି ତାକୁ ପୁନର୍ବାର ରିଭିଜନ କରିବା ପାଇଁ ସମଗ୍ର ଭାରତ ବର୍ଷରେ ସମସ୍ତ ପୂର୍ବତନ ସୈନିକ ସଂଘ ରାଜ ରାସ୍ତାରେ ଓହ୍ଲାଇ ପ୍ରତିବାଦ କରୁଛନ୍ତି । ଦିଲ୍ଲୀ ସ୍ଥିତ ଯନ୍ତରମନ୍ତରରେ ଭାରତ ବର୍ଷର ସମସ୍ତ ପୂର୍ବତନ ସୈନିକ ସଂଗଠନ ଏକତ୍ରିତ ହୋଇ ପ୍ରତିବାଦ କରି ଆସୁଛନ୍ତି । ବିଶିଷ୍ଟ ସମାଜସେବୀ ତଥା ପୂର୍ବତନ ସୈନିକ ଆନ୍ନା ହଜାରେ ଦିଲ୍ଲୀରେ ଆନ୍ଦୋଳନରତ ପୂର୍ବ ସୈନିକଙ୍କୁ ସମର୍ଥନ କରି ଆଗାମୀ ଦିନରେ ଭାରତ ବର୍ଷର ସବୁ ରାଜ୍ୟମାନଙ୍କରେ ଆନ୍ଦୋଳନକୁ ତୀବ୍ର କରିବା ପାଇଁ ଘୋଷଣା କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଭାରତ ବର୍ଷର ୭୬୬ ଜିଲ୍ଲାରେ ପୂର୍ବତନ ସୈନିକମାନେ ରାଲି ମାଧ୍ୟମରେ ଭାରତର ମହାମହିମ ରାଷ୍ଟ୍ରପତି, ଭାରତର ପ୍ରଧାନମନ୍ତ୍ରୀ ତଥା ରକ୍ଷାମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳମାନଙ୍କ ମାଧ୍ୟମରେ ଦାବୀପତ୍ର ପ୍ରଦାନ କରିଛନ୍ତି । ସେହିଭଳି ଭାବରେ ଆଜି ବଲାଙ୍ଗିର ଜିଲ୍ଲା ପୂର୍ବତନ ସଂଘ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରିଛି । ଜିଲ୍ଲାରେ ପୂର୍ବତନ ସୈନିକମାନଙ୍କ ବିଧବା ପତ୍ନୀ ପେନ୍‌ସନ୍‌ ପାଇବାରୁ ବଞ୍ଚିତ ହୋଇ ଆସୁଛନ୍ତି, ଜିଲ୍ଲାରେ କୌଣସି କାର୍ଯ୍ୟାଳୟ ନଥିବାରୁ ପୂର୍ବତନ ସୈନିକ, ସହୀଦ ପରିବାର, ବିଧବାମାନେ ଅନେକ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି । ଭାରତର ପ୍ରଧାନମନ୍ତ୍ରୀ ଦୁର୍ଗମ ଅଞ୍ଚଳରେ ହୋଲି ଏବଂ ଦିପାବଳୀ ଜବାନ ମାନଙ୍କ ସାଥୀରେ ପାଳନ କରୁଛନ୍ତି । ଭାରତ ବର୍ଷର ସମସ୍ତ ପୂର୍ବ ସୈନିକ ପ୍ରଧାନମନ୍ତ୍ରୀଙ୍କ ଉପରେ ଯେଉଁ ଆସ୍ଥା ରଖିଛନ୍ତି, ନିଶ୍ଚିତ ଭାବରେ ଦାବୀକୁ ଗ୍ରହଣ କରିବେ । ନଚେତ ଆଗାମୀ ଦିନରେ ସମସ୍ତ ପୂର୍ବ ସୈନିକ ଏବଂ ପରିବାର ରାଜ ରାସ୍ତାକୁ ପୁଣି ଓହ୍ଲାଇବେ ଯାହାକି ଗଣତନ୍ତ୍ର ପାଇଁ ଶୁଭପ୍ରଦ ହେବ ନାହିଁ ବୋଲି ପୂର୍ବ ସୈନିକମାନେ ଚେତାବନୀ ଦେଇଛନ୍ତି । ବଲାଙ୍ଗିର ଜିଲ୍ଲା ପୂର୍ବତନ ସୈନିକ ସଂଘର ସଭାପତି ବିଭୁତି ଭୂଷଣ ପାଣିଗ୍ରାହୀ, ପୂର୍ବତନ ସଭାପତି ସଚିକାନ୍ତ ନାଏକ, ପାଟଣାଗଡର ସଂଯୋଜକ ସହଦେବ ପୁରୋହିତ, ସଂପାଦକ ପ୍ରତାପ ଚନ୍ଦ୍ର ରଥ ଦାବୀ ଉପସ୍ଥାପନା କରିବା ସଂଗେ ସଂଗେ ପୂର୍ବତନ ସୈନିକମାନଙ୍କ ଗହଣରେ ଦାବୀପତ୍ର ପ୍ରଦାନ କରିଥିଲେ । ଆଜିର ବିରାଟ ରାଲିରେ ପାଟଣାଗଡର ସଂଯୋଜକ ପ୍ରଫୁଲ୍ଲ ମେହେର, ଟିଟିଲାଗଡର ସଂଯୋଜକ ଚନ୍ଦ୍ରଶେଖର ସାହୁ, କଣ୍ଟାବାଞ୍ଜିର ସଂଯୋଜକ ପ୍ରତାପ ପଟ୍ଟନାୟକ, ବଲାଙ୍ଗିରର ସଂଯୋଜକ ନବକୃଷ୍ଣ ପଟେଲ, ଫକୀର ମୋହନ ଗଡତ୍ୟା, କୃଷ୍ଣଚନ୍ଦ୍ର ପରମଗୁରୁ, ସର୍ବେରାମ ପଟେଲ, ଅରୁଣ ବାରିକ, ସୁଶିଲ ପଟେଲ, ଶଙ୍କର ଜୁଏଡ, ଜଗନ୍ନାଥ ସାହୁ, ପହ୍ମଲୋଚନ ପାତ୍ର, ପ୍ରମୋଦ ବାବୁ, ବିରେନ୍ଦ୍ର ବେହେରା, କୃଷ୍ଣଚନ୍ଦ୍ର ପଟେଲ, ଗୋପାଲ ମିଶ୍ର, ନୀଳକଣ୍ଠ ପାଢୀ, ନୟନ ଅଗସ୍ଥି, ମହେନ୍ଦ୍ର ପଣ୍ଡା, ବିବେକ ଭୋଇ, ପ୍ରେମଲତା ନନ୍ଦ, ଦୀପ୍ତି ମିଶ୍ର ତଥା ଆହୁରି ଶତାଧିକ ପୂର୍ବ ସୈନିକ ଏହି ରାଲିରେ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.