ପେଲେସ ଲାଇନ୍‌ରୁ ଗଂଜେଇ ଚୋରା ଚାଲାଣକାରୀଙ୍କୁ ଧରିଲା ବଲାଙ୍ଗିର ଟାଉନ୍‌ ପୋଲିସ : ୪ ଗିରଫ୍‌, ୨୭ କିଲୋ ଗଂଜେଇ ଜବତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗଂଜେଇ ଚୋରା ଚାଲାଣକାରୀଙ୍କୁ ପେଲେସ ଲାଇନ୍‌ରୁ ଧରିଛି ବଲାଙ୍ଗିର ଟାଉନ୍‌ ପୋଲିସ । ଏହି ମାମଲାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ୍‌ କରାଯାଇଥିବା ବେଳେ ସେମାନଙ୍କଠାରୁ ୨୭ କିଲୋ ଗଂଜେଇ, ୨ଟି ଦାମୀ ମୋବାଇଲ ଓ ନଗଦ ୪୬୦୦ ଟଙ୍କା ଜବତ୍‌ କରାଯାଇଥିବା ଏସ୍‌ଡ଼ିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ବିଶେଷ ସୂତ୍ରରୁ ଖବର ପାଇ ପୋଲିସର ଏକ ସ୍ୱତନ୍ତ୍ର ଟିମ୍‌ ବଲାଙ୍ଗିର ସହରର ପେଲେସ ଲାଇନରେ ଚାରିଜଣ ବ୍ୟକ୍ତି ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ସେମାନଙ୍କୁ କାବୁ କରିଥିଲା । ପୋଲିସ ଟିମ୍‌କୁ ଦେଖି ଦୁର୍ବୃତ୍ତମାନେ ଫେରାର୍‌ ହେବାକୁ ଚେଷ୍ଟା କରିଥିଲେ ମଧ୍ୟ ପୋଲିସ୍‌ ପନ୍‌ଝାରୁ ମୁକୁଳି ପାରି ନଥିଲେ । ଗିରଫ୍‌ ଅଭିଯୁକ୍ତମାନେ ହେଲେ ପେଲେସ ଲାଇନ୍‌ର ଶୁଭମ୍‌ ପଟ୍ଟନାୟକ(୨୩), ଇଚ୍ଛାପଡାର କରନ ସାହୁ(୩୦), ରାଜେନ୍ଦ୍ରପଡାର ରମିତ ସାହୁ(୨୦) ଓ ଉତ୍ତରପ୍ରଦେଶର ଉଗପୁର ନିବାସୀ ୟଶ କୁମାର(୨୭) ବୋଲି ପୋଲିସ ପକ୍ଷରୁ ମିଳିଥିବା ସୂଚନାରୁ ଜଣାପଡ଼ିଛି । ଗତକାଲି ଗିରଫ୍‌ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଟାଉନ୍‌ ଥାନା ଅଧିକାରୀ ବିଶ୍ୱଜିତ ମନବୋଧଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.