
ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସର ଅତ୍ୟାଚାର ବିରୁଦ୍ଧରେ ଆପ୍ ତରଫରୁ ଶାନ୍ତିପୂର୍ଣ୍ଣ ଗଣଧାରଣା ଓ ପ୍ରତିବାଦ ସଭା
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭୁବନେଶ୍ୱର ଓ କଟକ କମିଶନରରେଟ୍ ପୋଲିସ ପ୍ରଶାସନ ଅଧିନରେ ଥିବା ଭରତପୁର ଥାନାରେ ଘଟିଥିବା ଅଦ୍ଭାବନୀୟ ଘଟଣାର ତୀବ୍ର ନିନ୍ଦା କରିବା ପୂର୍ବକ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସର ଗଣ ଅତ୍ୟାଚାର ବିରୁଦ୍ଧରେ ଆପ୍ ତରଫରୁ ବ୍ରହ୍ମପୁର ଏସପିଙ୍କ କାର୍ଯ୍ୟାଳୟ ଆଗରେ ମଙ୍ଗଳବାର ଶାନ୍ତିପୂର୍ଣ୍ଣ ଗଣଧାରଣା ଓ ପ୍ରତିବାଦ ସଭା କରାଯାଇଛି । ପ୍ରକାଶ ଥାଉକି, ଗତ ୧୫ ତାରିଖ ରାତିରେ ଭୁବନେଶ୍ୱର ସ୍ଥିତ ଭରତପୁର ଥାନାରେ ଜଣେ ସେନା ଅଧିକାରୀ ଏବଂ ତାଙ୍କର ବାନ୍ଧବୀଙ୍କ ସହିତ ପୋଲିସ ଦ୍ୱାରା ଯେଉଁପରି ଅତ୍ୟାଚାର କରାଗଲା ତାହା ଓଡ଼ିଶାରେ ମୋହନ ମାଝୀ ସରକାରଙ୍କ ଶାସନ ବ୍ୟବସ୍ଥା ହୁଗୁଳି ଯାଇଛି ବୋଲି ପ୍ରମାଣିତ କରୁଛି ଯାହା ଆପ୍ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରାଯାଇଛି । ଏ ପ୍ରକାର ଭୟଙ୍କର ପ୍ରତାଡନା ଏବଂ ଜଣେ ମହିଳାଙ୍କୁ ଥାନାରେ ଉଲଗ୍ନ କରି ଥାନା ଅଧିକାରୀ ବାଡେଇବା ଘଟଣା ଲଗାମ ଛଡା ଶାସନ ବ୍ୟବସ୍ଥାରେ ପୋଲିସର ଦୌରାତ୍ମର ନମୁନା ଅଟେ । ଯଦି ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ଏପରି ଘଟଣା ଘଟୁଛି, ତେବେ ଓଡ଼ିଶାର ଉପାନ୍ତ ଅଂଚଳର ଅବସ୍ଥା କିପରି ଥିବ ଅନୁମାନ କରାଯାଇପାରେ । ପୋଲିସର ଏହି ମାତ୍ରାଧିକ ଅମାନବୀୟ କାର୍ଯ୍ୟକୁ ଆମ୍ ଆଦ୍ମୀ ପାର୍ଟି ତରଫରୁ ତୀବ୍ର ନିନ୍ଦା କରି ମଙ୍ଗଳବାର ଦିବା ୧୧ ଘଣ୍ଟା ସମୟରେ ବ୍ରହ୍ମପୁର ପୋଲିସ ଜିଲ୍ଲା ଆରକ୍ଷୀ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ସଭାପତି ସୁବାଷ ରାଉତଙ୍କ ନେତୃତ୍ୱରେ ଶାନ୍ତିପୂର୍ଣ ଧାରଣା ଏବଂ ପ୍ରତିବାଦ କରାଯାଇ ପୋଲିସ ଆରକ୍ଷୀଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଥିଲା । କେବଳ ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କୁ ସସ୍ପେଣ୍ଡ କଲେ ଚଳିବନି । ଘଟଣା ଉପରେ ଉଚ୍ଚ ନ୍ୟାୟଳୟ ଦ୍ୱାରା ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବା ଆବଶ୍ୟକ ବୋଲି ଆମ୍ ଆଦ୍ମୀ ପାର୍ଟି ନେତା ଆଦିତ୍ୟ ନାରାୟଣ ରଥ ନିଜ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମରେ ସୁବାଷ ରାଉତଙ୍କ ନେତୃତ୍ୱ ଆଦିତ୍ୟ ନାରାୟଣ ରଥ, ଅଜାମ୍ବିଳ ବିଶ୍ୱାଳ, ନିଭାସ୍ମିତା ପ୍ରଧାନ, ରିତୁ ସେଠୀ, ପଦ୍ମନାଭ ମହାରଣା, କୈଳାଶ ସେଠୀ, ସତ୍ୟପ୍ରକାଶ ସେଠୀ, ବିଷ୍ଣୁ ରଣା, ସୁନୀଲ ଆଚାର୍ଯ୍ୟ, ଅଭିମନ୍ୟୁ ଦଳାଇ, ସୁଦର୍ଶନ ମଲ୍ଲିକ, କାଳୀ ଦାସ, ରଞ୍ଜନ କୁମାର ରାଉତ, ଶ୍ୟାମଘନ ଗୌଡ଼, ରାମଚନ୍ଦ୍ର ବାରିକ, ନିରଞ୍ଜନ ପାତ୍ର, ହାକିମ ଖାନ୍ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।