ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜିଲ୍ଲା ପରିବେଶ ସୁରକ୍ଷା ମଂଚ, ବରଗଡ ଆନୁକୂଲ୍ୟରେ ସଭାପତି ପୃଥ୍ବୀରାଜ ସାହୁଙ୍କ ସଭାପତିତ୍ୱରେ ‘ଶିଶୁଟିଏ ଗଛଟିଏ, ସାରା ଜୀବନର ସାଥୀ ସିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପଦ୍ମପୁର ବନାଞ୍ଚଳ ଅଧିକାରୀ ରମେଶ କୁମାର ସାହୁ ଓ ସମ୍ମାନିତ ଅତିଥି ଭାବରେ ପ୍ରକୃତିବଂଧୁ ମୀନ କେତନ ସାହୁ ଯୋଗ ଦେଇ ବିଶ୍ୱ ଉତ୍ତାପନକୁ ନିୟନ୍ତ୍ରଣ ଓ ଏକ ସୁରକ୍ଷିତ ଭବିଷ୍ୟତ ନିର୍ମାଣ ତଥା ଆଗାମୀ ପିଢ଼ିର ସୁରକ୍ଷା ନିମିତ୍ତ ବୃକ୍ଷ ରୋପଣ, ଜଙ୍ଗଲ ସଂରକ୍ଷଣ ସଂପର୍କିତ ବକ୍ତବ୍ୟ ପ୍ରଦାନ କରିବା ସହିତ ବ୍ୟାପକ ଜନ ସଚେତନତା ସୃଷ୍ଟି କରିବାକୁ ଆହ୍ୱାନ ଦେଇଥିଲେ । ଉପସ୍ଥିତ ଅରୁଣ ଶ୍ରେଣୀର ଶିଶୁ ମାନଙ୍କୁ ୬୦ଟି ଅଶୋକ ଚାରା ପ୍ରଦାନ କରାଯାଇଥିଲା । ଦିବା ପର୍ଯ୍ୟାୟ ପ୍ରମୁଖ ମୁଦିରଥ ପଣ୍ଡା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିଶୁ ବାଟିକା ପ୍ରମୁଖ ସୁଜାତା ତ୍ରିପାଠୀ ସଭା ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଗୁରୁଜୀ, ଗୁରୁମା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।