କୋଶଳୀ ଫିଲ୍ମ ‘ନିନ୍ଦା’ର ସୁଟିଙ୍ଗ ଆରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ କୁଲିଆରୀ ଗ୍ରାମରେ କୋଶଳୀ ଫିଲ୍ମ ‘ନିନ୍ଦା’ର ସୁଟିଙ୍ଗ ଆରମ୍ଭ ହୋଇଯାଇଛି । ଦାଦନ ନେଉଥିବା ସର୍ଦ୍ଦାର କିଭଳି ଭାବରେ ଶ୍ରମିକ ମାନଙ୍କୁ ଅନ୍ୟ ରାଜ୍ୟକୁ ଦାଦନ ଖଟିବା ପାଇଁ ପଠାଇଥାନ୍ତି । ଅନେକ ସମୟରେ ବାହାର ରାଜ୍ୟରେ ଶ୍ରମିକ ମାନେ ନିର୍ଯ୍ୟାତିତ ହେଉଥିବା ବେଳେ କିଛି ଶ୍ରମିକଙ୍କ ମୃତ୍ୟୁ ମଧ୍ୟ ହୋଇଥାଏ ଏଭଳି ଅନେକ ଖବର ଗଣମାଧ୍ୟମରେ ଦେଖିବାକୁ ମିଳିଥାଏ । ଏହାକୁ ନେଇ ଲୋକେ ସବୁବେଳେ ସର୍ଦ୍ଦାରକୁ ନିନ୍ଦା ଦେଇଥାନ୍ତି । କାରଣ ଯେଉଁ ସର୍ଦ୍ଦାର କିଛି ଟଙ୍କା ରୋଜଗାର କରିବା ପାଇଁ ନିଜ ଅଞ୍ଚଳରୁ ଅନ୍ୟରାଜ୍ୟକୁ ଶ୍ରମିକ ଚାଲାଣ କରି ପରବର୍ତ୍ତୀ ସମୟରେ ତା ପାଖରେ କିଛି ଖୋଜ ଖବର ରଖି ନଥାଏ । ଏଣୁ ଦାଦନ ଶ୍ରମିକର ପରିବାର ବର୍ଗ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏହି ଫିଲ୍ମରେ କିନ୍ତୁ କାହାଣୀ ଅଲଗା ପ୍ରକାର ରହିଛି । ଦାଦନ ପଠାଉଥିବା ସର୍ଦ୍ଦାର ଶ୍ରମିକଙ୍କୁ ଅନ୍ୟ ରାଜ୍ୟକୁ ପଠାଇବା ସହ ଏଠାରେ ତାଙ୍କର ପରିବାରଙ୍କ ଭଲ ମନ୍ଦ ବୁଝିବା ଓ ଅସୁବିଧା ସମୟରେ ଉକ୍ତ ଶ୍ରମିକଙ୍କୁ ସୁରକ୍ଷିତ ଭାବରେ ନିଜ ଘରକୁ ପହଞ୍ଚାଇବା ଭଳି ମହାନ କାମ କରି ସମାଜକୁ ଏକ ସୁନ୍ଦର ବାର୍ତ୍ତା ଦେଇଛନ୍ତି ଏହି କାହାଣୀର ମୁଖ୍ୟ ଖଳନାୟକ ମନ ସର୍ଦ୍ଦାର । ଏଭଳି ଏକ ମନଛୁଆଁ କାହାଣୀକୁ ନେଇ ‘ନିନ୍ଦା ‘ ନାମକ ଏକ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରାଯାଉଛି । ତେବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନିରଞ୍ଜନ ପଣ୍ଡା ଏହି କାହାଣୀକୁ ରଚନା କରିଥିବା ବେଳେ ନିଜେ ଗୌନ୍ତିଆ ଭୂମିକାରେ ଅଭିନୟ ମଧ୍ୟ କରିଛନ୍ତି । ପ୍ରଥମେ ଗ୍ରାମର ଇଷ୍ଟ ଦେବୀ, ସ୍କ୍ରିପ୍ଟ ଓ କ୍ୟାମେରାକୁ ପଣ୍ଡିତ ନେତ୍ରାନନ୍ଦ ପଣ୍ଡାଙ୍କ ଦ୍ଵାରା ପୂଜାର୍ଚ୍ଚନା କରାଯାଇ ସୁଟିଙ୍ଗ ଆରମ୍ଭ ହୋଇଥିଲା । ଗୋପିନାଥ ଦଣ୍ଡସେନାଙ୍କ ପ୍ରଯୋଜନାରେ ଏହି ଫିଲ୍ମ ଆରମ୍ଭ ହୋଇଥିବା ବେଳେ ସଂଳାପ, ଗୀତ ଓ ନିର୍ଦ୍ଦେଶକ ଭାବରେ ଚୂଡ଼ାମଣି ମୁଦୁଲି ଦାୟିତ୍ୱ ନିର୍ବାହ କରିଛନ୍ତି । ସହକାରୀ ନିର୍ଦ୍ଦେଶକ ଭାବରେ ଲକି ଖମାରୀ କାର୍ଯ୍ୟ କରିଥିବା ବେଳେ ନିଜେ ମନ ସର୍ଦ୍ଦାର ଭୂମିକାରେ ଅଭିନୟ ମଧ୍ୟ କରିଛନ୍ତି । ଏଥିରେ ମୁଖ୍ୟ ଭୂମିକାରେ ସତ୍ୟଜିତ ସାହୁ, ଗୀତାଞ୍ଜଳି ବାରିକ, କୁମୁଦିନୀ ପୃଷ୍ଟି, ପୁଷ୍ପାଞ୍ଜଳୀ ମେହେର, ବୈରାଗୀ ସାହୁ, ଲକ୍ଷ୍ମଣ ଭୋଇ, ରୁଦ୍ର ସାହୁ, କାର୍ତ୍ତିକ ବରିହା, ମହାଦେବ ସାହୁ, ସୌରାଙ୍ଗ ଧରେଇ ପ୍ରମୁଖ ଅଭିନୟ କରୁଛନ୍ତି । କ୍ୟାମେରା ମ୍ୟାନ ଭାବରେ ଐବର୍ତ୍ତ ନାଏକ, ଧରଣୀଧର ପଟେଲ ଦାୟିତ୍ୱ ତୁଲାଉଛନ୍ତି । କାଇଁଚ ମିଡିଆ ୟୁଟ୍ୟୁବ ଚେନାଲ୍‌ରେ ଏହା ଖୁବଶୀଘ୍ର ଉପଲବ୍ଧ ହେବ ବୋଲି ପ୍ରଯୋଜକ ଶ୍ରୀ ଦଣ୍ଡସେନା ସୂଚନା ଦେଇଥିବା ବେଳେ ଗ୍ରାମବାସୀ ମାନେ ପୂର୍ଣ୍ଣ ମାତ୍ରାରେ ସହଯୋଗ କରିଥିବାରୁ ଗ୍ରାମବାସୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

Leave A Reply

Your email address will not be published.