ବିଧାୟକ ପରିବାରର ଦବଙ୍ଗଗିରି : ଫେସବୁକ କମେଣ୍ଟ ପାଇଁ ହତ୍ୟା ଧମକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଫେସବୁକ କମେଣ୍ଟକୁ କେନ୍ଦ୍ରକରି ହତ୍ୟା ଧମକ ଅଭିଯୋଗ ହୋଇଛି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଲୋଇସିଂହା ଠାରେ । ଫେସବୁକ କମେଣ୍ଟକୁ କେନ୍ଦ୍ରକରି ସଂମ୍ପୃକ୍ତ ଯୁବକ ଓ ପରିବାରକୁ ହତ୍ୟା ଧମକ ଦେବାଭଳି ଦବଙ୍ଗଗିରି ଦେଖାଇଛନ୍ତି ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗଙ୍କ କାକା ବୋଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଲୋଇସିଂହା ନିବାସୀ ଝସକେତନ ମହାନନ୍ଦ । ଅଭିଯୋଗ ଅନୁସାରେ, ବିଧାୟକ ଶ୍ରୀ ମହାଲିଙ୍ଗଙ୍କ ଫେସବୁକ ପୋଷ୍ଟରେ ନଅଗାଁର ଲୋଇସିଂହା ନିବାସୀ ଝସକେତନ ମହାନନ୍ଦ ନାମକ ଏକ ଯୁବକ ଗତକାଲି ଏକ କମେଣ୍ଟ ଦେଇଥିଲେ । ଯାହାକୁ ନେଇ ବିଧାୟକଙ୍କ କାକା ଏବଂ ତାଙ୍କ ସମର୍ଥକମାନେ ଝସକେତନଙ୍କ ଘରକୁ ଯାଇ ଗାଳିଗୁଲଜ କରିଥିଲେ । ହେଲେ ସେତେବେଳେ ଝସକେତନ ଘରେ ନଥିବାରୁ ସେମାନେ ତାଙ୍କ ବାପାଙ୍କୁ ଗାଳିଗୁଲଜ କରିଥିଲେ । ଫେସବୁକରେ ଏପରି କମେଣ୍ଟ କାହିଁକି ଦେଇଛି, ତୋ ପୁଅକୁ ମାରିଦେବୁ ବୋଲି ଧମକଚମକ ଦେଇଥିଲେ । ତେଣୁ ଏସମ୍ପର୍କରେ ଖବର ପାଇବା ପରେ ଆଜି ଝସକେତନ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଲୋଇସିଂହା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଯଦି ତାଙ୍କର କିଛି ହୁଏ ତେବେ ବିଧାୟକ ଡ. ମହାଲିଙ୍ଗ ଓ ତାଙ୍କ କାକା ଦାୟୀ ରହିବେ ବୋଲି ଏତଲାରେ ଦର୍ଶାଇଛନ୍ତି ।

Leave A Reply

Your email address will not be published.