ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । କାର-ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍ରେ ଥିବା ଗୋଟିଏ ପରିବାରର ୩ଜଣଙ୍କ ମଧ୍ୟରୁ ୨ଜଣ ଗୁରୁତର ହୋଇଛନ୍ତି । ମିଳିଥିବା ସୂଚନା ମୁତାବକ, ବୁରୋମୁଣ୍ଡା ଗ୍ରାମର ପଞ୍ଚାନନ ପୁଟେଲ, ତାଙ୍କ ସ୍ତ୍ରୀ ଏବଂ ଛୋଟ ଛୁଆଙ୍କ ସହ ଏକ ବାହାଘର ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ । ହେଲେ କୁଶଙ୍ଗ ନର୍ଲାକଟା ନିକଟରେ ଏକ କାର ସହ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲ । ଫଳରେ ବାଇାକ୍ରେ ଥିବା ୩ଜଣ ତଳେ ପଡ଼ିଯାଇଥିଲେ। ଦୁର୍ଘଟଣାରେ ସ୍ବାମୀ, ସ୍ତ୍ରୀ ଗୁରୁତର ଆହତ ହୋଇଥିବା ବେଳେ ଛୋଟ ଛୁଆ ସୁରକ୍ଷିତ ଥିବା ଜଣାପଡ଼ିଛି । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଦୁର୍ଘଟଣା ଘଟାଇଥିବା କାର୍ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି । ଖବର ପାଇ ବଲାଙ୍ଗିର ସଦର ପୋଲିସ ପହଞ୍ଚି କାରକୁ ଜବତ କରିଥିବା ବେଳେ ଚାଳକଙ୍କୁ ଖୋଜୁଛି । ଗୁରୁତର ଆହତ ହୋଇଥିବା ପରିବାର ଲୋକେ ଗରିବ ଶ୍ରେଣୀର ହୋଇଥିବା ବେଳେ ସେମାନଙ୍କୁ ଚିକିତ୍ସା ଏବଂ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।