ଖୋର୍ଦ୍ଧା : ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥରେ ଟ୍ରକକୁ ପଛପଟୁ ଧକ୍କା ଦେଇ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ବରୁଣେଇ ଓଭର ବ୍ରିଜ ନିକଟରେ ମଙ୍ଗଳବାର ସକାଳ ପ୍ରାୟ ୮ଟାରେ ଏହି ଘଟଣା ଘଟିଛି । ଘଟଣାସ୍ଥଳରେ ବସ୍ ହେଲ୍ପର୍ଙ୍କ ମୁତ୍ୟୁ ଘଟିଥିବା ବେଳେ ୧୫ଜଣ ଆହତ ହୋଇଛନ୍ତି । ମୃତକ ହେଲେ ଭଗବାନ ନାୟକ । ଆହତମାନେ ହେଲେ ରଞ୍ଜିତା ରାୟ, ମୋନାଲିସା ପ୍ରଧାନ, ତିଳ ଜେନା, ସତ୍ୟଭାମା ବିଶୋଇ, ସୁନିଲ ପ୍ରଧାନ, ରୋହିତ ନାୟକ, ମହନ୍ତି ବେହେରା, ସାଗରିକା ମହାରଣା, ଭାନୁମତି ପାଇକରାୟ, କାହ୍ନୁ, ବୈକୁଣ୍ଠନାଥ ବିହାରୀ ରହିଥିବା ବେଳେ ଅନ୍ୟମାନଙ୍କ ପରିଚୟ ମିଳିପାରିନାହିଁ । ଖବର ପାଇ ଶିଳ୍ପାଞ୍ଚଳ ଫାଣ୍ଡି ଓ ହାଇୱେ ପେଟ୍ରୋଲିଂ ପୋଲିସ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରିଛି । ତେବେ ବସ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ମୁତାବକ, ଭୁବନେଶ୍ୱରରୁ ଭଞ୍ଜନଗର ଅଭିମୁଖେ ଓମ୍ ଶାନ୍ତି ଟ୍ରାଭେଲ୍ସ ନାମକ ଏକ ଘରୋଇ ବସ୍ ସକାଳ ପ୍ରାୟ ସାଢେ ୬ଟା ସମୟରେ ବରମୁଣ୍ଡା ବସଷ୍ଟାଣ୍ଡରୁ ବାହାରିଥିଲା । ବସ୍ଟି ଦୃତଗତିରେ ଯାଉଥିବା ବେଳେ ବରୁଣେଇ ଓଭରବ୍ରିଜ ନିକଟରେ ଡ୍ରାଇଭର ନିୟନ୍ତ୍ରଣ ହରାଇ ଆଗରେ ଯାଉଥିବା ଏକ ଟ୍ରକକୁ ପଛପଟୁ ଧକ୍କା ଦେଇ ରାସ୍ତା ପାର୍ଶ୍ୱରେ ଥିବା ବାଲି ଗଦା ଉପରକୁ ମାଡ଼ି ଯାଇଥିଲା । ବସ୍ର ସମ୍ମୁଖ ଭାଗ ଭାଙ୍ଗି ଚୁର୍ମାର୍ ହୋଇଯାଇଛି । ବସ୍ ହେଲ୍ପର୍ ବନେଟ ଉପରେ ବସିଥିବା ବେଳେ ଛିଟିକି ତଳେ ପଡି ଯାଇଥିଲେ । ଫଳରେ ବସ୍ ତାଙ୍କ ଉପରେ ଚଢି ଯାଇଥିଲା । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ବସ୍ରେ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଥିବା ଜଣାପଡିଛି । ଡ୍ରାଇଭରଙ୍କ ବେପରୁଆ ଗାଡି ଚଳାଇବା ଓ ଦୃତ ଗତି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କିଛି ଯାତ୍ରୀ ପ୍ରକାଶ କରିଛନ୍ତି ।