କୋଇଲା ବୋଝେଇ ଟ୍ରେଲର୍ ଧକ୍କାରେ ୧ ଗୁରୁତର

ସୁନ୍ଦରଗଡ଼ : ଆଜି ପୂର୍ବାହ୍ନ ସାଢେ ୧୦ଟାରେ ହେମଗିର ଥାନା ରତନପୁରରେ ଏକ କୋଇଲା ବୋଝେଇ ଟ୍ରେଲର ଧକ୍କାରେ ଜଣେ ନବବିବାହିତା ଗୁରୁତର ଆହତ ହୋଇଥିବା ଜଣାପଡିଛି । ତାଙ୍କ ଗୋଡ଼ ଭାଙ୍ଗି ଯାଇଥିବା ସୂଚନା ରହିଛି । ରାସ୍ତା କଡ଼ ନଳକୂଅକୁ ପାଣି ଆଣିବାକୁ ଯାଉଥିବା ବେଳେ ଟ୍ରେଲରଟି ତାଙ୍କ ଉପରେ ମାଡି ଯାଇଥିଲା । ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ହେମଗିର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ଗୁରୁତର ମହିଳା ଜଣକ ମଦନ କିସାନଙ୍କ ପତ୍ନୀ ନିର୍ମଳା ନାଏକ (୨୨) ବୋଲି ଜଣାପଡିଛି । ଦୁର୍ଘଟଣା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଏହାର ପ୍ରତିବାଦରେ ଲୋକେ ରତନପୁରଠାରେ ରାସ୍ତାରୋକ କରିଛନ୍ତି । ଫଳରେ କୋଇଲା ବୋଝେଇ ଟ୍ରକ ସହ ଶହ ଶହ ଭାରୀଯାନ ସେଠାରେ ଅଟକି ରହିଛି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା ଚଲାଇଥିଲା ।

Leave A Reply

Your email address will not be published.