ଓଡ଼ିଆ ପକ୍ଷ ଅବସରରେ ଶିଶୁ କଥା ଦିବସ

  • “ଶିଶୁ ମାନଙ୍କ ଭାଷା ଓ ଚିନ୍ତନ ଶକ୍ତିକୁ ଉନ୍ନତ କରିବା ଆମର ପ୍ରଥମ କର୍ତ୍ତବ୍ୟ”

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଆ ପକ୍ଷ-୨୦୨୬ ପାଳନ ଅବସରରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ସ୍ଥାନୀୟ ପ୍ରାକ୍ଟିସିଂ ବିଦ୍ୟାଳୟ ଠାରେ ‘ଶିଶୁ କଥା ଦିବସ’ ପାଳିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ନାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ମୁଖ୍ୟ ବିକାଶ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ତରଣୀ ସୁନା, ନିମନ୍ତ୍ରିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରୀନା କୁମାରୀ ବେହେରା, ସେବାଶ୍ରୀ ଭୋଇ, ସମ୍ମାନିତ ଅତିଥି ଭାବେ ସିଆର୍‌ସିସି ଗିରିଶ ବେହେରା ଯୋଗ ଦେଇଥିଲେ । ଶିଶୁ ବାଟିକାର ୧୫ଜଣ ଶିଶୁଙ୍କୁ ଛବିଲ ମଧୁ ବର୍ଣ୍ଣବୋଧ ପୁସ୍ତକ ଓ ୩୫ଜଣ ପ୍ରଥମରୁ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଶିଶୁଲେଖା ପୁସ୍ତକ ମୁଖ୍ୟ ଅତିଥି ଶ୍ରୀ ସୁନା ବଣ୍ଟନ କରିଥିଲେ । ନିଜ ବକ୍ତବ୍ୟରେ ଶ୍ରୀ ସୁନା ଶିଶୁମାନେ ହେଉଛନ୍ତି ଆମ ସମାଜର ସବୁଠାରୁ ମୂଲ୍ୟବାନ ସମ୍ପଦ । ଶିଶୁମାନଙ୍କର ଭାଷା ଓ ଚିନ୍ତନ ଶକ୍ତିକୁ ଉନ୍ନତ କରିବା ଆମର ପ୍ରଥମ କର୍ତ୍ତବ୍ୟ ବୋଲି କହିବା ସହ ତାଙ୍କର ଶିକ୍ଷା, ସଂସ୍କାର ଓ ଚିନ୍ତାଧାରା ଉପରେ ଦେଶର ଭବିଷ୍ୟତ ନିର୍ଭର କରେ ବୋଲି କହିଥିଲେ । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରୀନା କୁମାରୀ ବେହେରା ନିଜ ବକ୍ତବ୍ୟରେ ଏହି ଦିବସ ପାଳନ ଅବସରରେ ବର୍ଣ୍ଣବୋଧ ଓ ଶିଶୁଲେଖା ପୁସ୍ତକ ବଣ୍ଟନ ଛାତ୍ରଛାତ୍ରୀଙ୍କ ମନରେ ନୂତନ ଆଗ୍ରହ ସୃଷ୍ଟି କରିବା ସହ ତାଙ୍କର ଲେଖନ କୌଶଳ, ଚିନ୍ତନ ଶକ୍ତି ଓ ସୃଜନଶୀଳତାକୁ ଆହୁରି ଉନ୍ନତ କରିବ ବୋଲି କହିଥିଲେ । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ବେହେରା ନିଜ ବକ୍ତବ୍ୟରେ ଜୀବନରେ ସଫଳତା ପାଇଁ ଶ୍ରମ, ଶିଷ୍ଟାଚାର ଓ ସତ୍ୟ ନିଷ୍ଠା ଆବଶ୍ୟକ ବୋଲି କହିବା ସହ ଶିଶୁମାନଙ୍କ ମନୋବୃତ୍ତିକୁ ବୁଝି ସେମାନଙ୍କୁ ଭଲ ଦିଗରେ ପରିଚାଳନା କରନ୍ତୁ ବୋଲି ଉପସ୍ଥିତ ସମସ୍ତ ଶିକ୍ଷୟିତ୍ରୀ ତଥା ଅଭିଭାବକ ଅଭିଭାବିକା ମାନଙ୍କୁ କହିଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ଯମୁନାବାଲା ମଲ୍ଲିକ, ମୀନା ପଧାନ, ମମତା ରଥ, ଯୋଗମୟୀ ଗେଜୋ, ପାଚିକା ଜୟା ପୋଢ଼, ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଭ୍ୟ ସହଯୋଗ କରିଥିଲେ ।

Leave A Reply

Your email address will not be published.