ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଡୁଙ୍ଗୁରିପାଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ଦିବସ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟକୁ ନୂତନ ଶିକ୍ଷାର୍ଥୀମାନଙ୍କୁ ସ୍ୱାଗତ କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ନୂତନ ଭାବେ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଉତ୍ସାହିତ କରିଥିଲେ । ସମ୍ମାନିତ ଅତିଥି ଭାବେ ପାଇକମାଲ ବ୍ଲକ ଅଧ୍ୟକ୍ଷା ଭାବନା ସିଂ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗିରୀଶ ଚନ୍ଦ୍ର ନାୟକ, ବ୍ଲକ ଶିକ୍ଷା ଅଧିକାରୀ ଶୁଭମ କୁମାର ପତି ଏବଂ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ରାଧେଶ୍ୟାମ ମେହେର, ଦୁବରାଜ ବେସରା ଓ ଚକାମନ ସୁନା ପ୍ରମୁଖ ଯୋଗଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୟାସାଗର ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପାରମ୍ପରିକ ରୀତିନୀତି ଅନୁଯାୟୀ କୋମଳମତି ଶିଶୁମାନଙ୍କର ଖଡ଼ିଛୁଆଁ ସମ୍ପନ୍ନ ହୋଇଥିଲା । ଏହି ଅବସରରେ ମୋଟ ୧୭ ଜଣ ନୂତନ ଛାତ୍ରଛାତ୍ରୀ ବିଦ୍ୟାଳୟରେ ନାମ ଲେଖାଇ ଶିକ୍ଷା ଜୀବନର ଶୁଭାରମ୍ଭ କରିଥିଲେ । ବିଦ୍ୟାଳୟର ଅନ୍ୟ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ପରିଚାଳନା କମିଟିର ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଛାତ୍ରଛାତ୍ରୀମାନଙ୍କୁ ମିଷ୍ଠାନ୍ନ ଓ ଶିକ୍ଷା ଉପକରଣ ବଣ୍ଟନ କରାଯାଇ ଉତ୍ସବ ସମାପନ ହୋଇଥିଲା ।
Next Post