ରୋଟାରି ଏଲିଟର ଉଡାନ ତରଫରୁ ଶିଶୁ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଟାଉନ ବାଳିକା ବିଦ୍ୟାଳୟଠାରେ ରୋଟାରି ଏଲିଟର ଉଡାନ ତରଫରୁ ଶିଶୁ ଦିବସ ପାଳିତ ହୋଇଯାଇଛି । ଉଡାନ ଛାତ୍ରୀଙ୍କୁ ପ୍ରୋତ୍ସାହନ ପ୍ରଦାନ ଉଦ୍ଦେଶ୍ୟରେ ଉଡାନର ଶିକ୍ଷକ ଓ ରୋଟାରି ଏଲିଟର ସଭ୍ୟମାନେ ଏହି ଆୟୋଜନ କରିଥିଲେ । ଏଥିରେ ଅତିଥି ଭାବରେ ବଲାଙ୍ଗିର ସରକାରୀ ମହିଳା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ. ସୁଷମା ମଞ୍ଜରୀ ନାୟକ ଯୋଗଦେଇ କହିଲେ ଉଡାନ ମାଧ୍ୟମରେ ଛାତ୍ରୀମାନଙ୍କୁ ଶିକ୍ଷକମାନେ ଯେଉଁ ଶିକ୍ଷା ପ୍ରଦାନ ପୂର୍ବକ ମାର୍ଗଦର୍ଶନ କରୁଛନ୍ତି ତାହା ସାଧୁବାଦର ହକଦାର । ଉଡାନର ଏହି ତପସ୍ୟା ମାଧ୍ୟମରେ ଆମ ଦେଶର ଆଗାମୀ ଭବିଷ୍ୟତ ନିର୍ମାଣ ହେଉଛି । ରୋଟାରି ଏଲିଟର ଏହି କାର୍ଯ୍ୟକୁ ଶୁଭେଚ୍ଛା ପ୍ରଦାନ କରିଥିଲେ । ନିଜକୁ ବୁଝି ଓ ଜାଣି କର୍ଯ୍ୟକଲେ ନିଶ୍ଚିତ ଭାବେ ପ୍ରତ୍ୟେକ ଝିଅ ସଫଳ ହେବେ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । ଉଡାନ ମାଧ୍ୟମରେ ନାରୀଶକ୍ତିର ଜାଗରଣ କରୁଛନ୍ତି ଉଡାନ ଆୟୋଜକ ବନ୍ଧୁମାନେ । ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମଦିନରେ ଆୟୋଜିତ ଏହି ଶିଶୁ ଦିବସରେ ଅନ୍ୟତମ ଅତିଥି ଉଡାନର ବରିଷ୍ଠ ଶିକ୍ଷକ ନବୀନ ନାୟକ ଉଡାନରେ ପଢ଼ୁଥିବା ସମସ୍ତ ବିଦ୍ୟାର୍ଥୀ ଏହି ସମାଜପାଇଁ ଆଗକୁ ଯାଇ ପଥପ୍ରଦର୍ଶକ ହେବେ ବୋଲି ଆଶା ବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉଡାନର ଶିଶୁ ଦିବସ ଉପଲକ୍ଷେ ଉଡାନରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରୀଙ୍କୁ ଅତିଥିଦ୍ୱୟ ଟ୍ରଫି ଓ ସାର୍ଟିଫିକେଟ ପ୍ରଦାନ କରିଥିଲେ । ଓଡ଼ିଆ ବକ୍ତୃତାରେ ପ୍ରଥମ ସ୍ୱସ୍ତିକା କୁମ୍ଭାର, ଦ୍ଵିତୀୟ ଝଲସି କୁମ୍ଭାର ଓ ତୃତୀୟ ମାନସୀରାଣୀ ଦାଶ, ସଂଗୀତରେ ପ୍ରଥମ ସୃତି ତାଣ୍ଡି, ଦ୍ଵିତୀୟ ସମ୍ପର୍ଣ୍ଣା ନାୟକ ଓ ତୃତୀୟ ମାନସିରାଣୀ ଦାଶ, କ୍ୱିଜ଼ରେ ପ୍ରଥମ ସ୍ମୃତିପ୍ରିୟା ସାହୁ, ଦ୍ଵିତୀୟ ମାନସିରାଣୀ ଦାଶ ଓ ତୃତୀୟ ଦମୟନ୍ତୀ ଖୁଆସ, ଇଂରାଜୀ ରଚନାରେ ପ୍ରଥମ ଶ୍ରୀମୟୀ ସୁନା, ଦ୍ଵିତୀୟ ମାନସିରାଣୀ ଦାଶ ଓ ତୃତୀୟ ପ୍ରାଚୀ ଖେତୀ, ପିକ ଓ ସ୍ପିକରେ ପ୍ରଥମ ସୃତିପ୍ରିୟା ସାହୁ, ଦ୍ଵିତୀୟ ସନ୍ଧ୍ୟା ନାଗ ଓ ତୃତୀୟ ମାନସିରାଣୀ ଦାଶ ପ୍ରମୁଖ ପୁରସ୍କୃତ ହୋଇଥିଲେ । ଏହି କାର୍ଯ୍ୟକ୍ରମକୁ ରୋଟାରି ଏଲିଟର ବରିଷ୍ଠ ସଭ୍ୟ ଧର୍ମେନ୍ଦ୍ର ନନ୍ଦ ସଂଯୋଜନା କରିଥିଲେ ଓ ସଭାପତି ଦର୍ଶନ ଭମର ଧନ୍ୟବାଦ ଅର୍ପଣ କରିଥିଲେ । ରୋଟାରି ଏଲିଟର ସଭ୍ୟମାନେ ଓ ଉଡାନର ଛାତ୍ରୀଗଣ ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.