ବଲାଙ୍ଗିର, (କେପିଏନ୍ଏସ୍) : ସଦାଇପାଲି ପଲ୍ଲିଶ୍ରୀ ବିହାର ସ୍ଥିତ ସାଇଟ କଲେଜ ପରିସରରେ ଥିବା ସଭାଗୃହରେ ବିଶ୍ୱ ମଧୁମେହ ଦିବସ ସହ ଶିଶୁ ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ଡ. ପ୍ରମୋଦ କୁମାର ମିଶ୍ର ଯୋଗଦେଇଥିଲେ । ସମ୍ମାନିତ ଅତିଥି ଡ. ନାରାୟଣ ପ୍ରସାଦ ମିଶ୍ର, ସଂପାଦକ, ରାମଜୀ ଯୁବକ ସଂଘଙ୍କ ଉତ୍ସାହ କ୍ରମେ କାର୍ଯ୍ୟକ୍ରମଟି ହୋଇଥିଲା । ଏହି ଦିବସରେ ନର୍ସିଂ ଅଧ୍ୟକ୍ଷା ପ୍ରଫେସର ସ୍ନିଗ୍ଧା ମିନତୀ ଦାନୀ, ଉପାଧ୍ୟକ୍ଷା ପ୍ରଫେସର ଲୋପାମୁଦ୍ରା ମିଶ୍ର, ଅଧ୍ୟାପିକା ଲକ୍ଷ୍ମୀ ମେହେର ଓ ଏକଜିକ୍ୟୁଟିଭ ଅଫିସର ଇଂ. ପ୍ରଶାନ୍ତ କୁମାର ତ୍ରିପାଠୀ ମଂଚାସୀନ ଥିଲେ । ନର୍ସିଂ ପ୍ରିନସିପାଲ ପ୍ରଫେସର ଦାନୀ ତାଙ୍କ ଅଭିଭାଷଣରେ ମଧୁମେହ ରୋଗର ଉପଶମ ଏବଂ ଔଷଧ ସେବନ ଉପରେ ଆଲୋକପାତ କରିଥିଲେ । ଡ. ମିଶ୍ର ଏହି ରୋଗ ହୋଇଗଲେ ଛାଡେ ନାହିଁ କିନ୍ତୁ ବିଧି ବ୍ୟବସ୍ଥା ଭିତରେ ରହିଲେ କିଛି ଅସୁବିଧା ହୁଏ ନାହିଁ ବୋଲି କହିଥିଲେ । ଜବାହରଲାଲ ନେହେରୁଙ୍କ ଜୀବନୀ ଉପରେ ହୋଇଥିବା ବକ୍ତୃତା ପ୍ରତିଯୋଗିତାରେ ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ଉପାଧ୍ୟକ୍ଷା ଲୋପାମୁଦ୍ରା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।