
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭଗବତି ନଗର ସ୍ଥିତ କାର୍ଯ୍ୟାଳୟରେ କୁଲୁତା ସମାଜ ପକ୍ଷରୁ ଇଷ୍ଟଦେବୀ ରଣେଶ୍ୱର ରାମଚଣ୍ଡୀଙ୍କ ଚୈତ୍ର ପୂର୍ଣ୍ଣିମା ବାସନ୍ତିକ ପୂଜା ତଥା କୁଲୁତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ପୂଜକ ଶାନ୍ତନୁ କୁମାର ପାତ୍ରଙ୍କ ଦ୍ୱାରା କୁଲୁତା ଜାତିର ରୀତିନିତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା ପରେ ସମାଜ ସଭାପତି ରବିନ୍ଦ୍ର କୁମାର ପଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସଂପାଦକ ବିଦେଶୀ ପ୍ରଧାନ ବାର୍ଷିକ ବିବରଣୀ ପଠନ କରିଥିଲେ । ଉକ୍ତ ସଭାରେ ସର୍ବସମ୍ମତି କ୍ରମେ ଜାତିର ଏକତା ରକ୍ଷା ସହ ସମାଜର ଉନ୍ନତି ତଥା ସେବା ସଦନ କାର୍ଯ୍ୟକୁ ସୁଚାରୁ ରୂପେ ସମ୍ପାଦନ କରି ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରିବା ନିଷ୍ପତ୍ତି ନିଆଗଲା । ଏହି କାର୍ଯ୍ୟକ୍ରମରେ କୁଲୁତା ସମାଜର ଶତାଧିକ ପରିବାର ସାମିଲ ହୋଇ ଇଷ୍ଟଦେବୀ ରଣେଶ୍ୱର ରାମଚଣ୍ଡୀଙ୍କ ଆଶୀର୍ବାଦ ନେଇଥିଲେ ।