ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜେ.ଏସ୍.ଏମ୍. ମହାବିଦ୍ୟାଳୟରେ ଆଜି ସ୍ନାତକ ଦିବସ ଏକ ଭବ୍ୟ ଓ ଗରିମାମୟ ପରିବେଶ ମଧ୍ୟରେ ଆୟୋଜିତ ହୋଇଥିଲା । ବିଶିଷ୍ଟ ଅତିଥି ଭାବେ ଉପସ୍ଥିତ ଥିଲେ ମୁଖ୍ୟ ଅତିଥି ଭାବେ ନିରଞ୍ଜନ୍ ବିଶି, ରାଜ୍ୟସଭା ସଦସ୍ୟ, ମୁଖ୍ୟ ବକ୍ତାଭାବେ ଶ୍ରୀକାନ୍ତ ଚଟର୍ଜି, ଅତିଥି ଭାବେ ଡ. ମନୋଜ କୁମାର ନାଗ, ପୁଣି ମହାବିଦ୍ୟଳୟର ଅଧ୍ୟକ୍ଷ ସି.ଏ. ଶ୍ରୀକାନ୍ତ ଶର୍ମା, ପ୍ରଧାନ ଶିକ୍ଷୟତ୍ରୀ ଡ଼. ମନସ୍ମିତା ମିଶ୍ର, ନିର୍ଦେଶକ ପିତବାସ ପଣ୍ଡା ଓ ମୁଖ୍ୟ ଉପଦେଷ୍ଟା ମନୋରଞ୍ଜନ ସାହୁ ପୁଣି ବାଣିଜ୍ୟ ବିଭାଗର ମୁଖ୍ୟ ଅଙ୍କିତା ମିଶ୍ର ମଞ୍ଚାସୀନ ଥିଲେ । ସମାରୋହ ଆରମ୍ଭ ହେବା ପୂର୍ବରୁ ପାରମ୍ପରିକ ଦୀପ ପ୍ରଜ୍ୱଳନ ଓ ଗଣେସ ବନ୍ଦନା ଦ୍ୱାରା ଶୁଭ ଆରମ୍ଭ ହେଲା । ପରେ ମହାବିଦ୍ୟାଳୟର ପ୍ରାଚାର୍ଯ୍ୟ ଡ଼ଃ ମନସ୍ମିତା ମିଶ୍ର ଛାତ୍ରଛାତ୍ରୀଙ୍କ ଉପଲବ୍ଧି ବିଷୟରେ ଆଲୋକ ପାତ କରି, ସେମାନଙ୍କୁ ଶୁଭକାମନା ଜଣାଇ ବୃହତ୍ ଲକ୍ଷ୍ୟ ସାଧନା ପାଇଁ ପ୍ରେରଣା ଦେଲେ । ମୁଖ୍ୟବକ୍ତା ଶ୍ରୀକାନ୍ତ ଚଟର୍ଜି ତାଙ୍କ ଗଭୀର ବକ୍ତବ୍ୟରେ ଛାତ୍ରଛାତ୍ରୀଙ୍କୁ ନିଜ ଜୀବନର ଲକ୍ଷ୍ୟ ପ୍ରତି ଏକାଗ୍ର ଓ ଦୃଢ଼ ହେବାକୁ, ସମାଜ ଓ ଦେଶ ପାଇଁ ଦାୟିତ୍ୱବାନ୍ ନାଗରିକ ହେବାକୁ ଉତ୍ସାହିତ କଲେ । ନିରଞ୍ଜନ୍ ଆପଣାର ଭାଷଣରେ ପିଲାମାନଙ୍କୁ କହିଥିଲେ ଯେ : ଜୀବନର ପରବର୍ତ୍ତୀ ଅଧ୍ୟାୟରେ ପାଦ ଦେବା ସମୟରେ, ମନେରଖନ୍ତୁ – ଏହା ଶେଷ ନୁହେଁ, ବରଂ ଆହୁରି ବଡ଼ କିଛିର ଆରମ୍ଭ । ଆପଣ ଶିକ୍ଷା, ବନ୍ଧୁତା ଏବଂ ସ୍ମୃତିକୁ ଗର୍ବର ସହିତ ବହନ କରନ୍ତୁ ଏବଂ ସାହସର ସହିତ ଆପଣଙ୍କ ସ୍ୱପ୍ନ ଆଡ଼କୁ ଚାଲନ୍ତୁ । ଭବିଷ୍ୟତ ଆପଣଙ୍କର – ନିଜ ଉପରେ ବିଶ୍ୱାସ ରଖନ୍ତୁ, ନମ୍ର ରୁହନ୍ତୁ, କଠିନ ପରିଶ୍ରମ କରନ୍ତୁ ଏବଂ କେବେବି ଶିଖିବା ବନ୍ଦ କରନ୍ତୁ ନାହିଁ । ଅତିଥିମାନେ ମଧ୍ୟ ତାଙ୍କର ଉତ୍ସାହବର୍ଦ୍ଧକ ଅନୁଭବ ଓ ପ୍ରବଚନ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଆଗକୁ ବଢ଼ିବା ଓ ଦେଶ ଗଠନରେ ଭାଗ ନେବାକୁ ପ୍ରେରଣା ଦେଲେ । ତତ୍ପରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଡିଗ୍ରୀ, ପ୍ରଶଂସାପତ୍ର ଓ ସ୍ମୃତିଚିହ୍ନ ପ୍ରଦାନ କରାଯାଇଥିଲା । କିଛି ବିଶିଷ୍ଟ ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ବିଶେଷ ପୁରସ୍କାର ମଧ୍ୟ ଦିଆଯାଇଥିଲା । ବିଶେଷ କରି ଅର୍ଚିସ୍ମାନ ମିଶ୍ର ଏହି ବର୍ଷ ଜେ.ଏସ୍.ଏମ୍. ମହାବିଦ୍ୟାଳୟରେ ବାଣିଜ୍ୟ ଶିକ୍ଷାରେ ପ୍ରଥମ ହେବା ସହିତ ରଜେନ୍ଦ୍ର ବିଶ୍ୱ ବିଦ୍ୟାଳୟରେ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଓ ଶିକ୍ଷକମାନେ ପ୍ରତି କୃତଜ୍ଞତା ବ୍ୟକ୍ତ କରିଥିଲେ । ସମାରୋହର ଶେଷରେ ଅଭିଭାବକ ଓ ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉପରେ ଆଶା ଓ ଆଶୀର୍ବାଦ ଜଣାଇଥିଲେ । ସମଗ୍ର କାର୍ଯ୍ୟକ୍ରମଟି ଭାବପୂର୍ଣ୍ଣ ଓ ପ୍ରେରଣାଦାୟକ ଥିଲା । ଏହି ଅବସରରେ ପରିସରରେ ଉଲ୍ଲାସ, ଗର୍ବ ଓ ଭାବୁକତାର ମାହୋଳ ଦେଖିବାକୁ ମିଳିଲା । ଛାତ୍ର, ଅଭିଭାବକ ଓ ଶିକ୍ଷକମାନେ ପାଇଁ ଏହି ଦିନଟି ଅବିସ୍ମରଣୀୟ ରହିଗଲା ।

Prev Post