ଶିକ୍ଷା ସପ୍ତାହ ଉପଲକ୍ଷେ ସାଂସ୍କୃତିକ ଦିବସ ପାଳନ

ଏସ. ରାମପୁର, (ସୁଶିଳ କୁମାର ମିଶ୍ର) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ବ୍ରାହ୍ମଣୀପାଲି ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ସପ୍ତାହ ଉପଲକ୍ଷେ ସାଂସ୍କୃତିକ ଦିବସ ପାଳିତ ହୋଇଯାଇଛି । ପାରମ୍ପରିକ ସଂସ୍କୃତିକୁ ପ୍ରୋତ୍ସାହନ ଦେବା ଓ ସଂସ୍କୃତିକୁ ଶିକ୍ଷା ସହିତ ଯୋଡିବା ଉଦ୍ଦେଶ୍ୟରେ ପାଳିତ ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷୟିତ୍ରୀ କୁମୁଦିନୀ ମହାନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ସାଧନ କେନ୍ଦ୍ର ସଂଯୋଜକ ନରେନ୍ଦ୍ର ପୁରୋହିତ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ଜାତୀୟ ଶିକ୍ଷା ନୀତିର ଚତୁର୍ଥ ବର୍ଷ ପାଳନ ଅବସରରେ ସପ୍ତାହ ବ୍ୟାପି କାର୍ଯ୍ୟକ୍ରମ ଚାଲିଛି । ଏହି କାର୍ଯ୍ୟକ୍ରମର ଚତୁର୍ଥ ଦିବସ ଅବସରରେ ଚିତ୍ରକଳା, କୌତୁକ ପୋଷାକ, ପାରମ୍ପରିକ ଗୀତ, ଡାଲଖାଇ, ରସରକେଳି ପରି ପାରମ୍ପରିକ ନୃତ୍ୟ, ଏକକ ଅଭିନୟ, ଦଳଗତ ଅଭିନୟ, ଗୀତ ଭିତ୍ତିକ ଶିକ୍ଷଣ, ଅଭିନୟ ଭିତ୍ତିକ ଶିକ୍ଷଣ କାର୍ଯ୍ୟ ଆୟୋଜିତ ହୋଇଥିଲା । ଗୀତ, ନାଚ ଓ ଅଭିନୟ ମାଧ୍ୟମରେ କେମିତି ଶିକ୍ଷା ଲାଭ କରାଯାଇ ପାରିବ ସେ ବିଷୟରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଅବଗତ କରାଯାଇଥିଲା । ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ, ଅଭିଭାବିକା, ପାଚକ, ପାଚିକା ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷକ ଅଭିରାମ ପରାଭୂଏ ପରିଚାଳନା କରିଥିବା ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମିତା କୁଅଁର ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ଗଜବନ୍ଧ କ୍ଲଷ୍ଟରର ପଣ୍ଡରାପାଲି, କେନ୍ଦୁପାଲି, କୁଶଦାଦର, କାଇସକନ୍ଦା, ଗଜବନ୍ଧ, ସୁଲେଇ ଓ ଧାତୁକିପାଲି ବିଦ୍ୟାଳୟ ଗୁଡିକରେ ଏହି ଦିବସ ପାଳିତ ହୋଇଯାଇଛି ।

Leave A Reply

Your email address will not be published.