ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ମଜଦୂର ସଂଘ ଦ୍ୱାରା ପରିଚାଳିତ ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କସ୍ ଆସୋସିଏସନ୍ ଡାକରାରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ସମନ୍ୱୟ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ଠାରେ ଅଙ୍ଗନୱାଡ଼ି କର୍ମୀ ମାନେ ଆଠ ଦଫା ଦାବୀ ନେଇ ଧାରଣା ଦେଇଛନ୍ତି । ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାଙ୍କ ଆଠ ଦଫା ଦାବୀଗୁଡିକ ହେଲା, ଅଙ୍ଗନୱାଡ଼ି କର୍ମୀଙ୍କୁ ସରକାରୀ ମାନ୍ୟତା, ମାସିକ ୧୮ ହଜାର ଟଙ୍କା ଦରମା ଓ ସହାୟିକାଙ୍କୁ ୯ ହଜାର ଟଙ୍କା ବେତନ ପ୍ରଦାନ । ମିନି ଅଙ୍ଗନୱାଡ଼ିଙ୍କୁ ମୁଖ୍ୟ ଅଙ୍ଗନୱାଡ଼ି ଭାବେ ଘୋଷଣା କରିବା, କର୍ମୀଙ୍କୁ ଇ.ପି.ଏଫ୍ , ଇଏସ୍ ଆଇସି ଓ ଗ୍ରାଜୁଇଟି ଲାଗୁ କରିବା, ସମସ୍ତଙ୍କୁ ପ୍ରି-ପ୍ରାଇମେରି ଶିକ୍ଷୟତ୍ରୀ ମାନ୍ୟତା ପ୍ରଦାନ କରିବା । ସହାୟିକା ମାନଙ୍କୁ ଅଗ୍ରାଧିକାର ଭିତ୍ତିକ ଅଙ୍ଗନୱାଡ଼ି ଭାବରେ ପଦୋନ୍ନତି, ୫୦ ଭାଗ ବାହାରୁ ସିଧା ଭାବରେ ନେଉଥିବା ସୁପର ଭାଇଜର ପଦବୀକୁ ଗ୍ରଜୁଏଟ୍ ବା ତା ଠାରୁ ଅଧିକ ଯୋଗ୍ୟତା ଥିବା କର୍ମୀଙ୍କୁ ପଦୋନ୍ନତି ଦିଆଯାଉ । ଅଙ୍ଗନୱାଡ଼ି କର୍ମଚାରୀ ଓ ସହାୟିକାଙ୍କୁ ଅବସରକାଳୀନ ସହାୟତା ରାଶି ୫ ଲକ୍ଷ ଟଙ୍କା ଓ ପେନସନ ମାସିକ ୫ ହଜାର ଟଙ୍କା ପ୍ରଦାନ କରାଯାଉ । କାର୍ଯ୍ୟରତ ଅବସ୍ଥାରେ ମୃତ୍ୟୁବରଣ କଲେ କର୍ମଚାରୀଙ୍କୁ ମୃତ୍ୟୁକାଳୀନ ସହାୟତା ରାଶି ୫ ଲକ୍ଷ ଟଙ୍କା ଦେବା ସହ ପରିବାରର ଜଣଙ୍କୁ ଚାକିରି ପ୍ରଦାନ କରିବା, ଗାଁ କଲ୍ୟାଣ ସମିତିରୁ ଅଙ୍ଗନୱାଡ଼ି କର୍ମଚାରୀଙ୍କୁ ବାଦ ଦିଆଯାଉ ଓ ପୋଷଣ ଟ୍ରକରରେ ଅନଲାଇନ୍ ଲୋକେସନ୍କୁ ବନ୍ଦ କରାଯିବା ସହିତ ୨୦୧୮ରେ ଘୋଷଣା କରାଯାଇଥିବା ଗ୍ରୀଷ୍ମ ଅବକାଶକୁ ଲାଗୁ କରାଯାଉ । ଏ ନେଇ ଡେଲାଙ୍ଗ ବ୍ଲକ ଅଙ୍ଗନୱାଡ଼ି କର୍ମୀ ସଂଘ ସଭାପତି ଜ୍ୟୋତ୍ସ୍ନାରାଣୀ ସାହୁ ଓ ସମ୍ପାଦକ ମମତା ବରାଳଙ୍କ ସହିତ ଡେଲାଙ୍ଗ ବ୍ଲକର ସମସ୍ତ ଅଙ୍ଗନୱାଡ଼ି ସେଣ୍ଟର୍ର ଶତାଧିକ ଅଙ୍ଗନବାଡି କର୍ମୀ ଓ ସହାୟିକା ସମୂହ ଧାରଣାରେ ବସି ଥିଲେ । ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟ କାଳ ଯାଏଁ ଧାରଣାରେ ବସି ରହିବେ ବୋଲି ଅଙ୍ଗନୱାଡ଼ି କର୍ମୀମାନେ କହିଛନ୍ତି ।
Next Post