ରିଜର୍ଭ ଜଙ୍ଗଲରୁ କଟିଲା ଶହ ଶହ ଗଛ : ରେଞ୍ଜ ଅଫିସରେ ଧାରଣା ଦେଲେ ଗ୍ରାମବାସୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସାରା ରାଜ୍ୟରେ ବର୍ତ୍ତମାନ ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ ସରି ନ ଥିବା ବେଳେ ଝାରବନ୍ଧ ବନ ବିଭାଗ ଅଧିନ କୁର୍ଲୁପାଲି ଭଣ୍ଡାରପୁରୀ ମଧ୍ୟରେ ଥିବା ସଂରକ୍ଷିତ ଜଙ୍ଗଲରୁ କୁର୍ଲୁପାଲି ସରପଞ୍ଚଙ୍କ ସ୍ୱାମୀ ତଥା ପୂର୍ବତନ ସରପଞ୍ଚ ତୁକରାମ ପଟେଲ ବେଆଇନ ଭାବେ ଗଛ କାଟି ନଷ୍ଟ କରିଥିବାର ଅଭିଯୋଗ ହୋଇଛି । ଏ ଘଟଣାକୁ ନେଇ ଜଙ୍ଗଲ ସୁରକ୍ଷା କମିଟି ତଥା ଗ୍ରାମବାସୀ ବନବିଭାଗ, ଜିଲ୍ଲା ପ୍ରଶାସନଙ୍କୁ ଅଭିଯୋଗ କଲାପରେ ମଧ୍ୟ କୌଣସି ସନ୍ତୋଷଜନକ କାର୍ଯ୍ୟାନୁଷ୍ଠାନ ହୋଇ ନ ଥିବାରୁ ଆଜି ପାଇକମାଲ ରେଞ୍ଜ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣାରେ ବସିଥିଲେ ଗ୍ରାମବାସୀ । ପ୍ରାପ୍ତ ସୂଚନା ଅନୁଯାୟୀ ପୂର୍ବତନ ସରପଞ୍ଚ ତୁକରାମ ପଟେଲ ଗ୍ରାମ୍ୟ କମିଟି ତଥା ଜଙ୍ଗଲ ସୁରକ୍ଷା କମିଟିକୁ ବେଖାତିର କରି ବେଆଇନ ଭାବେ ଶହ ଶହ ଗଛ କାଟି ନେଇଛନ୍ତି । ଜଙ୍ଗଲ ବିଭାଗର କୌଣସି ନୀତି ନିୟମକୁ ଭୟ ନ କରି ଏପରି କାଣ୍ଡ କରିଥିବାର ଧାରଣକାରୀ କହିଛନ୍ତି । ଅନ୍ୟପଟେ ବନ ବିଭାଗ ଗଛ କଟାକୁ ନେଇ ହାରାହାରି ଦୁଇ ମାସ ବିତି ଯାଇଥିଲେ ସୁଦ୍ଧା ଜଙ୍ଗଲରେ କଟିଥିବା ସମସ୍ତ ଗଛ, ଗଛକୁ ଅଣାଯାଇଥିବା ଯାନକୁ ଜବତ ନ କରିବା ଏବଂ କ୍ଷମତାଶାଳୀ ବ୍ୟକ୍ତି ବୋଲି ତୁକରାମ ପଟେଲଙ୍କୁ ଛାଡ଼ି ଦେଇଥିବାରୁ ବନ ବିଭାଗ ପ୍ରତି ଲୋକେ କ୍ଷୋଭ ପ୍ରକାଶ କରିଛନ୍ତି । ଏହି ଗଣଧାରଣାରେ କୁର୍ଲୁପାଲି ଗ୍ରାମର ହୃଦାନନ୍ଦ ପଟେଲ, ଭରତ ମହାନନ୍ଦ, କେଶବ ସାହୁ , ସୁରେଶ ସାହୁ, ଶ୍ୟାମଲାଲ ବାରିକ, ଗୋବର୍ଦ୍ଧନ ପ୍ରଧାନଙ୍କ ସହିତ ଶତାଧିକ ମହିଳା ପୁରୁଷ ଗଣଧାରଣାରେ ବସିଥିଲେ । ଏହି ଗଣଧାରଣାକୁ ଖଟିଖିଆ ସଂଗଠନ ଝାରବନ୍ଧର ସଭାପତି ଭୋଜରାଜ ବାଗ, ଜୟ କିଷାନ ଆନ୍ଦୋଳନ ପାଇକମାଲ ସଦସ୍ୟ ବିଶ୍ୱନାଥ ରଣା ପ୍ରମୂଖ ସମର୍ଥନ ଜଣାଇଥିଲେ । ଧାରଣା ସ୍ଥଳକୁ ପାଇକମାଲ ରେଞ୍ଜର ହୃଦାନନ୍ଦ ମିଶ୍ର ଆସି ଧରଣାକାରୀଙ୍କ ସହ ଆଲୋଚନା କରି ପ୍ରାଥମିକ ତଦନ୍ତ ସରିଛି, ୮୦ ଗୋଟି ଗଛ ଜବତ କରାଯାଇଛି, ବନ ବିଭାଗର ଆଇନ ଅନୁଯାୟୀ ପ୍ରାଥମିକ ତଦନ୍ତ ପ୍ରକ୍ରିୟା ଜାରି ରହିଛି । ଚଳିତ ଅକ୍ଟୋବର ୧୦ ତାରିଖ ଦିନ ଧାରଣାକାରୀଙ୍କ ଅଭିଯୋଗ ମୁତାବକ ଏକ ସ୍ୱତନ୍ତ୍ର ଟିମ ଗଛ କଟାଯାଇଥିବା ସଂରକ୍ଷିତ ଜଙ୍ଗଲ କୁ ଯାଇ ତଦନ୍ତ କରାଯାଇ ଆଇନ ଅନୁଯାୟୀ ଦୋଷୀ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଲିଖିତ ପ୍ରତିଶୃତି ଦେବା ପରେ ଧାରଣାରୁ ଉଠିଥିଲେ ଆନ୍ଦୋଳନକାରୀ ।

Leave A Reply

Your email address will not be published.