୩୭ତମ ବଙ୍ଗୋମୁଣ୍ଡା ଧନୁଯାତ୍ରା ମହୋତ୍ସବ ଉଦ୍‌ଘାଟିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ସର୍ବସାଧାରଣ ଖେଳପଡିଆ ଠାରେ ୩୭ତମ ବଙ୍ଗୋମୁଣ୍ଡା ଧନୁଯାତ୍ରା ମହୋତ୍ସବ ଉଦଘାଟିତ ହୋଇଯାଇଛି । ଧନୁଯାତ୍ରା ପାଇଁ ବଙ୍ଗୋମୁଣ୍ଡା ପାଲଟିଛି ମଥୁରାନଗରୀ ଓ ଗୋହିରାପଦର ପାଲଟିଛି ଗୋପପୁର । ମଥୁରାନଗର ବାସୀ ଧନୁଯାତ୍ରା ଉତ୍ସବକୁ ଉତ୍ସାହର ସହ ଅପେକ୍ଷା କରି ଚାହିଁ ରହିଥାନ୍ତି । ଚଳିତ ବର୍ଷ ହାତୀ ପିଠିରେ ବସି ଉଗ୍ରସେନ ମହାରାଜ ମୁକ୍ତାକାଶ ରଙ୍ଗମଂଚକୁ ପାତ୍ରମନ୍ତ୍ରୀଙ୍କ ସହ ପହଞ୍ଚିଥିଲେ । ପୌରାଣିକ ନାଟ୍ୟବସ୍ତୁ ଆଧାରିତ ଧନୁଯାତ୍ରା ଉତ୍ସବ ଉଦଘାଟିତ ହୋଇଥିଲା । ଉଦଘାଟନୀ ଉତ୍ସବରେ ବିଶିଷ୍ଟ କଳାକାର ମନୋଜ ମିଶ୍ର, ବରିଷ୍ଠ ସାମ୍ବାଦିକ ବଲାଙ୍ଗିର ଗୋପାଳ ପ୍ରଧାନ, ବଙ୍ଗୋମୁଣ୍ଡା ପଂଚାୟତର ସରପଂଚ ତଥା ରାଜ୍ୟ ଯୁବ ବିଜେଡି ସମ୍ପାଦକ ଅଜିତ କୁମାର ଯୋଶୀ, ବଙ୍ଗୋମୁଣ୍ଡା ୨୦ ନଂ ଜୋନର ଜିଲ୍ଲା ପରିଷଦ ସଦସ୍ୟ ଓମ ପ୍ରକାଶ କୁମ୍ଭାର, ବଲଧା ପଂଚାୟତର ସରପଂଚଙ୍କ ପ୍ରତିନିଧି ତଥା ଯୁବନେତା ସଦାନନ୍ଦ ତାଣ୍ଡି ପ୍ରମୁଖ ଅତିଥି ଭାବେ ଥିଲେ । ଏହି ରଙ୍ଗମଂଚରେ ସତ୍ୟ ମହିମା ସଂସ୍କୃତ ବିଦ୍ୟାପୀଠ ଖଇରା, ସାଇ ସ୍ୱର୍ଣ୍ଣ କଳାପରିଷଦ ଇଚ୍ଛାପଡା ଓ ସ୍ଥାନୀୟ କଳାକାର ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ ହୋଇଥିଲା । ଦେବକୀ ବସୁଦେବ ବିବାହ, ଶୂନ୍ୟବାଣୀ, ମହାରାଜ ଉଗ୍ରସେନଙ୍କ ଗାଦିଚ୍ୟୁତ, ଦେବକୀ ବସୁଦେବଙ୍କ କାରାଗାରବାସ, ଦେବକୀଙ୍କ ଶଡ ସନ୍ତାନ ନିଧନ ଆଦି ନାଟ୍ୟାଭିନୟ ପରିବେଷିତ ହୋଇଥିଲା । ହଜାର ହଜାର ଦର୍ଶକ ମାନେ ବିଳମ୍ବିତ ରାତ୍ରି ପର୍ଯ୍ୟ୍‌ନ୍ତ ଉପଭୋଗ କରିଥିଲେ ।

jittmm
Leave A Reply

Your email address will not be published.