centurian jitm

ମେ ୨୦ରୁ କଳାହାଣ୍ଡିରେ ରବି ଧାନ ସଂଗ୍ରହ ଭାଗ ନେବେ ୮୮ ମିଲର୍ସ : ୧୪୫ ମଣ୍ଡିରୁ ହେବ ଧାନ ସଂଗ୍ରହ

nschool
  • ଧାନ ବିକ୍ରି ପାଇଁ ପଞ୍ଜିକରଣ କରିଛନ୍ତି ୪୮, ୮୧୮ ଚାଷୀ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଆସନ୍ତା ମେ ୨୦ ତାରିଖ ଠାରୁ କଳାହାଣ୍ଡି ଜିଲ୍ଲାରେ ରବି ଧାନ ସଂଗ୍ରହ କରିବାପାଇଁ ଭବାନୀପାଟଣା ଜିଲ୍ଲାପାଳଙ୍କ ସଦୟଭାବନା ଗୃହରେ ଆୟୋଜିତ ଜିଲ୍ଲା ସ୍ତରୀୟ ଧାନ କ୍ରୟ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ । ବୈଠକ ପ୍ରାରମ୍ଭରେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପବିତ୍ର କୁମାର ସାହୁ ସ୍ଵାଗତ ଅଭିଭାଷଣ ପ୍ରଦାନ କରିବା ସହ ରବି ଧାନ ସଂଗ୍ରହ ପାଇଁ ଜିଲ୍ଲା ପ୍ରଶାସନ ନେଇଥିବା ଆବଶ୍ୟକ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ । ଆସନ୍ତା ମେ ୨୦ ତାରିଖରୁ ଜିଲ୍ଲାର ୧୪୫ ଟି ଧାନ ମଣ୍ଡିରେ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରାଯିବ । ଏଥିପାଇଁ ମଣ୍ଡିରେ ଧାନ ବିକ୍ରୟ କରିବା ପାଇଁ ୪୮,୮୧୮ ଜଣ ଚାଷୀ ଅନଲାଇନ ମାଧ୍ୟମରେ ନିଜ ନାମ ପଞ୍ଜୀକରଣ କରିଛନ୍ତି । ୬୪ ଟି ପେକ୍ସ ଏବଂ ୨୫ ଟି ସ୍ୱୟଂ ସହାୟକ ଗୋଷ୍ଠୀର ମିଳିତ ସହଯୋଗରେ ଏହି ଧାନ ସଂଗ୍ରହ ପ୍ରକ୍ରିୟାକୁ ସୂଚାରୁରୂପେ ସମ୍ପାଦନ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଜିଲ୍ଲାର ୮୮ ଗୋଟି ମିଲର୍ସ ରବିଧାନ ସଂଗ୍ରହ ପ୍ରକ୍ରିୟାରେ ଅଂଶ ଗ୍ରହଣ କରି ମଣ୍ଡି ମାନଙ୍କରୁ ଚାଷୀଙ୍କ ଧାନ ଠିକ ସମୟରେ ଉଠାଣ କରିବା ପାଇଁ ନିର୍ଦ୍ଧାରଣ କରାଯାଇଛି । ମିଲର୍ସ ଚାଷୀଙ୍କୁ ଆବଶ୍ୟକ ଗନିବ୍ୟାଗ ଯୋଗାଇ ଦେବା ପାଇଁ ବୈଠକରେ ସ୍ଥିର କରାଯାଇଥିଲା । କମନ ଏଫ.ଏ.କ୍ୟୁ. ଧାନ କ୍ଵିଣ୍ଟାଲ ପିଛା ଟ. ୨,୩୦୦ ଟଙ୍କା ଏବଂ ଗ୍ରେଡ ଏ ଏଫ.ଏ.କ୍ୟୁ. ଧାନ କ୍ଵିଣ୍ଟାଲ ପିଛା ୨,୩୨୦ ଟଙ୍କା ସହିତ ଏମ.ଏସ.ପି. ୮୦୦ ଟଙ୍କା ସର୍ବମୋଟ କ୍ଵିଣ୍ଟାଲ ପିଛା ୩,୧୦୦, ଏବଂ ୩,୧୨୦ ଟଙ୍କା ଚାଷୀ ପାଇବେ । ୮୮ ଟି ମିଲର୍ସଙ୍କ ମଧ୍ୟରୁ ଉଷୁନା ଚାଉଳ ପାଇଁ ୭୦ ଏବଂ ଅରୁଆ ଚାଉଳ ପାଇଁ ୧୮ ଟି ମିଲର୍ସ ଭାଗ ନେବେ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଲାଗିରହିଥିବାରୁ ଚାଷୀଙ୍କ ସୁରକ୍ଷା ଦୃଷ୍ଟିରୁ ସମସ୍ତ ମଣ୍ଡିରେ ଆବଶ୍ୟକ ପାନୀୟ ଜଳ, ଓ.ଆର.ଏସ. ପ୍ୟାକେଟ, ଜରୁରୀକାଳୀନ ସେବା ଆବଶ୍ୟକ ସ୍ଥଳେ କୁଲରର ବ୍ୟବସ୍ଥା କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଚାଷୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଠିକ ସମୟରେ ମଣ୍ଡିରୁ ଚାଷୀଙ୍କ ଧାନ ଉଠାଣ କରିବା ପାଇଁ ସମସ୍ତ ମିଲର୍ସ ଅଧିକ ଯତ୍ନବାନ ହେବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଏହି ବୈଠକରେ ଜିଲ୍ଲାପରିଷଦ ସଭାପତୀ ପୁଷ୍ପେଦ୍ର ସିଂଦେଓ, କଳାହାଣ୍ଡି ସାଂସଦଙ୍କ ପ୍ରତିନିଧି ଅନିଲ କୁମାର ନନ୍ଦ, ସଦର ବିଧାୟକଙ୍କ ପ୍ରତିନିଧି ଧନୁର୍ଯ୍ୟ ଗହିର, ଉପଜିଲ୍ଲାପାଳ ଧର୍ମଗଡ଼ ଧିମାନ ଚକମା, ଉପଜିଲ୍ଲାପାଳ ଭବାନୀପାଟଣା ପ୍ରଭାତ କୁମାର ପରିଡା, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ମଳୟ କୁମାର ପରିଡା, ଡି. ଆର. ସି. ଏସ. ପ୍ରମୋଦ କୁମାର ସାହୁ, ଜିଲ୍ଲା କୃଷକ ସଂଗଠନର ପ୍ରତିନିଧି, ଭାରତ ଖାଦ୍ୟ ଯୋଗାଣ ନିଗମ ଅଧିକାରୀ, ସମସ୍ତ ମିଲର୍ସ, ବିଭିନ୍ନ ବିଭାଗୀୟ ଅଧିକାରୀ, କୃଷକ ନେତା ପ୍ରମୁଖ ଯୋଗଦେଇ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଶେଷରେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଶ୍ରୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.