
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ-କଣାସ ସଡ଼କର କଲ୍ୟାଣପୁର କଲେଜ ଛକଠାରେ ଦୁଇଟି ବାଇକ୍ ମୁହାମୁହିଁ ଧକ୍କା ହେବା ଯୋଗୁଁ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଆହତଙ୍କୁ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଇ ପରେ ଭୁବନେଶ୍ୱର ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ରାକେଶ ପଣ୍ଡା ସୂଚନା ଦେଇଛନ୍ତି । ଗୁରୁତର ଆହତମାନେ ହେଲେ ଘୋରଡ଼ିଆ ଗ୍ରାମର ଅବ୍ଦୁଲ୍ ଅଞ୍ଜୁମ୍ ଖାନ୍ (୨୬), ଟି. ଖାନ୍ (୩୦), ପିପିଲି ଅଞ୍ଚଳର ବାଞ୍ଛୁ ବେହେରା (୩୫), ନିମାପଡ଼ାର ଶିବାନନ୍ଦ ବେହେରା (୩୫) । ଏମାନଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ ବୁଧବାର ସନ୍ଧ୍ୟାରେ ଡେଲାଙ୍ଗ ପଟୁ ଆସୁଥିବା ବାଇକ୍ ସହ କଣାସ ଆଡ଼ୁ ଆସୁଥିବା ବାଇକ କଲ୍ୟାଣପୁର ମହାବିଦ୍ୟାଳୟ ଛକ ନିକଟରେ ମୁହାଁମୁହଁ ଧକ୍କା ହୋଇଥିଲା । ଗ୍ରାମବାସୀମାନେ ଆହତମାନଙ୍କୁ ଉଦ୍ଧାର କରି ଡେଲାଙ୍ଗ ଚିକିତ୍ସାଳୟକୁ ପଠାଇବାର କିଛି ସମୟ ପରେ ସନ୍ନିକଟ ନାଳରୁ ଜଣେ ମୃତ ବ୍ୟକ୍ତିର ଶବକୁ ଉଦ୍ଧାର କରିଛନ୍ତି । ବ୍ୟକ୍ତି ଜଣକଙ୍କ ପକେଟ୍ରେ ଥିବା ପରିଚୟ ପତ୍ରରୁ ତାଙ୍କ ନାମ ରବି ବେହେରା (୩୫), ଘର ହାଟସାହି, ପିପିଲି ବୋଲି ଉଲ୍ଲେଖ ରହିଛି । ଖବର ପାଇ ଡେଲାଙ୍ଗ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଅନୁସନ୍ଧାନ ଜାରି ରଖିଛନ୍ତି ।