ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା : ତିନି ବର୍ଷର ଶିଶୁ ସମେତ ୪ ମୃତ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଥାନା ଅଞ୍ଚଳରେ ବୁଧବାର ଅପରାହ୍ନରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦୁଇ ବାଇକ ମୁହାଁମୁହିଁ ହେବା ଫଳରେ ଜଣେ ତିନି ବର୍ଷର ଶିଶୁ ସମେତ ଚାରି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତକମାନେ ହେଲେ, ଫିରିଙ୍ଗିଆ ଥାନା ପାଙ୍ଗା ପଞ୍ଚାୟତ ପଟିଲିପିଡିଆ ଗ୍ରାମର ବାବୁଲା କହଁର(୩୮), ବାମନ କହଁର(୩୫), କାର୍ତ୍ତିକ କହଁର(୩) ଓ ସଲାଗୁଡା ପଞ୍ଚାୟତ ଟକେରୀଗୁଡା ଗ୍ରାମର ଟିଲୁ ଦିଗାଲ(୩୦)। ବନିତା କହଁର ନାମକ ଜଣେ ମହିଳା ଗୁରୁତର ହୋଇଛନ୍ତି । ସୂଚନା ଅନୁଯାୟୀ, ବାବୁଲା, ବାମନ, ବନିତା ଓ କାର୍ତ୍ତିକ ଏକ ବାଇକରେ ଗୋଚ୍ଛାପଡା ଅଞ୍ଚଳରେ ଥିବା ସେମାନଙ୍କ ସମ୍ପର୍କୀୟଙ୍କ ଘରକୁ ଯାଉଥିଲେ । ଅପରାହ୍ନ ପ୍ରାୟ ୩ଟା ବେଳେ ବନ୍ଦୁଲି ଛକ ନିକଟରେ ଅନ୍ୟ ଏକ ବାଇକରେ ବାଲନ୍ଦାପଡା ଆଡକୁ ଯାଉଥିବା ଟିଲୁ ଦିଗାଲଙ୍କ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ସମସ୍ତେ ଗୁରୁତର ହୋଇଥିଲେ । ସ୍ଥାନୀୟ ବିଜେପି ନେତା ବାବୁଲା କହଁର ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ମାନଙ୍କୁ ଉଦ୍ଧାର କରି ନିଜ ଗାଡିରେ ଗୋଚ୍ଛାପଡା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ତେବେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ବାବୁଲା, ବାମନ, କାର୍ତ୍ତିକ ଓ ଟିଲୁଙ୍କୁ ମୃତ ଘୋଷଣା କରିଥିଲେ । ବନିତା ଏବେ ଏଠାରେ ଚିକିତ୍ସାଧୀନ ଅଛନ୍ତି । ଗୋଚ୍ଛାପଡା ପୁଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରିବା ସହିତ ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.