ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଫାସଡ ନିକଟସ୍ଥ ସୁକ୍ତେଲ ପୋଲ ଉପରେ ଗତକାଲି ରାତିରେ ଦୁଇଟ୍ରକ୍ ମଧ୍ୟରେ ଧକ୍କା ହେବା ଫଳରେ ରାସ୍ତା ଅବରୋଧ ହୋଇଥିଲା । ଦୁର୍ଘଟଣାଗ୍ରସ୍ତ ଦୁଇଟି ଟ୍ରକର ଡ୍ରାଇଭର ଓ ହେଲପର ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ୨୬ ନମ୍ବର ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଦୀର୍ଘ ସମୟ ଧରି ଯାନବାହାନ ଚଳାଚଳ ବନ୍ଦ ରହିଥିଲା । ପୋଲ ମରାମତି କାମ ଚାଲିଥିବା ଯୋଗୁଁ ରାସ୍ତାର ଗୋଟିଏ ପଟେ ଗାଡ଼ି ଚଳାଚଳ କରୁଥିବା ବେଳେ ଓଭରଟେକ୍ କରିବା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା ଜଣାଯାଇଛି । ଖବର ପାଇ ଲୋଇସିଂହା ପୋଲିସ ଘଟଣାସ୍ଥଳରେ ପହଂଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲା । ଏଥିସହିତ ପ୍ରାୟ ୭ ଘଣ୍ଟା ପରେ ଦୁର୍ଘଟଣାଗ୍ରସ୍ତ ଟ୍ରକ ଦୁଇଟିକୁ ରାସ୍ତା ଉପରୁ ହଟାଇବା ପରେ ସକାଳ ୧୦ ଟାରେ ଯାନବାହାନ ଚଳାଚଳ ସ୍ୱଭାବିକ ହୋଇଥିଲା ।
