ବଲାଙ୍ଗିର, (କେପିଏନ୍ଏସ୍) : ଚାଲିଗଲେ ବଲାଙ୍ଗିର ମାଟିର ଲୋକ ଗୀତ ଗାୟିକା କୁନି ଛତ୍ରିଆ । ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ଦେହାନ୍ତ ହୋଇଥିବା କୁହାଯାଉଛି । ସେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ବଲାଙ୍ଗିର ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ଜଟିଳ ହେବାରୁ ତାଙ୍କୁ ବୁର୍ଲା ଭୀମସାର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଦୀର୍ଘ ସାତଦିନ ଧରି ସେ ଚିକିତ୍ସିତ ହେଉଥିଲେ ମଧ୍ୟ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି । ବଲାଙ୍ଗିର ଜିଲ୍ଲା ତୁଷୁରା ମାଟିର କଳାକାର କୁନି ଛତ୍ରିଆ ସାରା ଜିଲ୍ଲା ତଥା ସାରା ଓଡ଼ିଶାରେ ଘୁଡୁକା ନୃତ୍ୟ ପରିବେଷଣ କରିବା ସହ ଲୋକଗୀତ ଗାଇ ବେଶ୍ ସୁନାମ ଅର୍ଜନ କରିଥିଲେ । ତୁଷୁରାର ସାନବଡ ଘୁଡୁକା ଦଳକୁ ଜାତୀୟ ସ୍ତର ପର୍ଯ୍ୟନ୍ତ ପହଞ୍ଚେଇବାରେ ତାଙ୍କ ଅମ୍ଲାନ ପ୍ରତିଭାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ଆଲୋଚନା ହେଉଛି । ତାଙ୍କ ବିୟୋଗରେ ସାରା ବଲାଙ୍ଗିର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି ।